
କେନ୍ଦ୍ରାପଡା, ୨୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ସମୁହଙ୍କ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଲିଡ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ୟାଙ୍କ ମାନଙ୍କର ଋଣ ପ୍ରଦାନ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା । ଏଲଡିଏମ ରମାକାନ୍ତ ମାଝିଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଲାଇନ ଡିପାର୍ଟମେଣ୍ଟ ମାନେ ବ୍ୟାଙ୍କକୁ ଦେଉଥିବା ଲକ୍ଷ୍ୟକୁ ପୁରଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା- କୃଷି ଋଣ, ବାଣିଜ୍ୟ ଋଣ, କ୍ଷୁଦ୍ର ବ୍ୟବସାୟୀ ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, କେସିସି ଋଣ ସହିତ ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ଯୋଜନା ଋଣ ସଂପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା । ବ୍ୟାଙ୍କ ସମୁହ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ସହ ସରକାରଙ୍କ ଲକ୍ଷ୍ୟ ପୁରଣରେ ସହାୟତା କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜାତୀୟକରଣ ବ୍ୟାଙ୍କ ଗୁଡିକୁ ସେମାନଙ୍କର ଲକ୍ଷ୍ୟ ପୁରଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଆରବିଆଇ ର ଏଲଡିଓ ଅବିନାଶ ରାଉତ, ଡିଡିଏମ ନାର୍ବାଡ ସ୍ମିତା ବଡଜେନା, ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ଜାତୀୟକରଣ ବ୍ୟାଙ୍କର ଶାଖା ପରିଚାଳକ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି