

ନୂଆପଡ଼ା,୨୦ ଡ଼ିସେମ୍ବର (ହି.ସ.)- ସମୁଦ୍ର ପତନରୁ ତିନି ହଜାର ଫୁଟ ଉଚ୍ଚରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସୁନାବେଡ଼ା ଅଭୟାରଣ୍ୟ ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସତନ୍ତ୍ର ସ୍ଥାନ ଅଧିକାର କରିଛି।ସୁନାବେଡ଼ା ଅଭୟାରଣ୍ୟ ଛତିଶଗଡ଼ ଏବଂ ଓଡ଼ିଶା ରାଜ୍ୟକୁ ପାଚେରୀ ସଦୃଶ୍ୟ ଛିଡ଼ା ହୋଇ ରହିଛି । ୬ ଶହ ବର୍ଗ କିମି ଆୟତନ ବିଶିଷ୍ଟ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଉପତ୍ୟକା । ବିରାଟ ଗିରି ଶୃଙ୍ଗ ମୁକୁଟ ପରି ଶୋଭା ପାଉଥିବା ବେଳେ ୧୧ଟି ଛୋଟ ବଡ଼ ଜଳପ୍ରପାତ ପର୍ଯ୍ୟଟକଙ୍କ ମନମୋହି ନେଉଛି। ସତେ ଯେମିତି ଲାଗେ ପ୍ରକୃତିରାଣୀ ତା'ର ପଣତକୁ ଖୋଳି ଦେଇ ବସିଛି। ସୁନାବେଡ଼ା ଉପତ୍ୟକାର ଇତିହାସର ମୂକସାକ୍ଷୀ ହେଉଛି ମାରାଗୁଡ଼ା ଉପତ୍ୟକା। ରଏତାଲ ସାଗର ପକ୍ଷୀ ବିହାର, ଜୁମଲାଗଡ଼ ଦୁର୍ଗ ଓ ମାରାଗୁଡ଼ା ଉପତ୍ୟକା ଭଳି ଐତିହାସିକ ସ୍ଥାନ, ସୁନାଦେଇ ମନ୍ଦିର, ରାଣୀ ମୁହାଁସ ଓ ବାମନଗିରି ଭଳି ଧାର୍ମିକ ପୀଠ ରହିଛି ଏହି ଉପତ୍ୟକାରେ । ସେହିପରି ଗୋଧସ, ବେନିଆଧସ, ଖରଲଧସ, ରୁପିଆମ ଭଳି ୧୧ଟି ଜଳପ୍ରପାତ ସୁନାବେଡ଼ାଉପତ୍ୟକାର ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସୁନାବେଡ଼ା ଉପତ୍ୟକାରେ ରହିଛି ୧୧ଟି ୧୭ଟି ଚିରସ୍ରୋତା ଓ ଖରସ୍ରୋତା ଜଳପ୍ରପାତ ଓ ଝରଣା । ସେଥୁରୁ ପ୍ରମୁଖ ଜଳପ୍ରପାତ ମଧ୍ୟରେ ଗୋଧସର ଉଚ୍ଚତା ୯୦ ଫୁଟ, ବେନିଆଧସ ୭୫ ଫୁଟ, ଖରଲଧସ ୧୫୦ ଫୁଟ୍ ରହିଛି । ବହୁ ଉଚ୍ଚତାରୁ ପାଣି ପଡୁଥିବାରୁ ପାଣି ଆକାଶରୁ ଝରି ପଡ଼ିଲା ଭଳି ଲାଗେ। ଜଳପ୍ରପାତର ତଳେ ଗାଧୋଇବା ମଜା ଟିକେ ନିଆରା । ମୁଣ୍ଡରେ ପାଣି ପଡ଼ିବାବେଳେ କୁହୁଡ଼ି ଭଳି ଲାଗେ। ଚନ୍ଦରସିଲ, ବିପ୍ରାଖୋଲ, ରାଣୀ ମୁହାଁସ, ଗିରିବାମନ, ମାକରଚୁଆଁ, ଚେରେଚୁଆଁ, ସାନ ଗୁମର, ବଡ଼ ଗୁମର, ଉପକାପାନି, କଦମ, ଆମ ଝରନ, ଅଡ଼ାର ଝରନ, ଚିଚିରା ଘାଟି ଭଳି ୧୭ ଟି ଝରଣା ବୋହି ଯାଉଛି । ଏହି ସବୁ ଝରଣାରେ ବର୍ଷସାରା ପାଣି ଝରୁ ଥାଏ ଜ୍ଝ ଏଥିରୁ ଜୋଙ୍ଗ, ସୁନ୍ଦର ଓ ଇନ୍ଦ୍ର ନଦୀର ଉତ୍ପତି ହୋଇଛି ଜ୍ଝ ଜଳପ୍ରପାତ ଓ ଝରଣାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖେ । ଇତିହାସର ମୂକସାକ୍ଷୀ ଐତିହାସିକ ମାରାଗୁଡ଼ା, ଜୁମଲାଗଡ଼ ଦୁର୍ଗ ଏବେ ଧ୍ୱଂସାଭିମୁଖୀ। ତେବେ ଏବେ ମଧ୍ୟ ମାରାଗୁଡ଼ା ଓ ଜୁମଲାଗଡ଼ର ଧ୍ୱଂସାବଶେଷକୁ ଦେଖୁଲେ ଲାଗେ ସେହି ସମୟରେ ନଗର ଓ ପ୍ରସାଦ ନିର୍ମାଣ ଶୈଳୀ କେତେ ଉଚ୍ଚକୋଟୀର ଥିଲା।ଖରଲଧସଠାରୁ ଶହେ ମିଟର ଦୂରରେ ରହିଛି ଜୁମଲାଗଡ଼ ଦୁର୍ଗ ।ଏହି ଗଡ଼ର ଦ୍ୱାର ପୂର୍ବ ଦିଗରେ ରହିଛି। ଚାରି ପାଖେ ପୋଡ଼ା ଇଟାର ବଡ଼ ବଡ଼ ପାଚେରୀ ରହିଛି। ପ୍ରସାଦର ସୁରକ୍ଷା ଦୃଷ୍ଟିରୁ ଏହି ପାଚେରୀ ଦିଆଯାଇଥବା ଅନୁମାନ କରାଯାଏ। ଭିତରେ ଥିବା ଛୋଟ ବଡ଼ ପ୍ରସାଦ ଧ୍ୱଂସ ହୋଇସାରିଛି। ତା'ର ଅନତି ଦୂରରେ ଡାହାଣ ପାର୍ଶ୍ୱରେ ରହିଛି ଐତିହାସିକ ଗିରିବାମନ ପୀଠ। ଏହି ପୀଠ ନିକଟରେ ଅଧା କିମି ବିଶିଷ୍ଟ ବିରାଟ ପଥର ପାଚେରୀ ଦେଖୁବାକୁ ମିଳେ । ବଡ଼ ବଡ଼ କଳାପଥରକୁ ଥାକଥାକ କରି ନିର୍ମାଣ ହୋଇଥିବା ପାଚେରୀ କୌଣସି ବଡ଼ ଦୁର୍ଗର ମୁଖ୍ୟ ଫାଟକ ଭଳି ଲାଗେ । ପ୍ରାୟ ୨୫ ମିଟର ପାଚେ ପାଚେରୀର ପୂର୍ବ ଦିଗରେ ଏକ ଫାଟକ ରହିଛି। ଉପତ୍ୟକାର ସୁନାବେଡ଼ାଠାରେ ସୁନାଦେଇ ମନ୍ଦିର, ଖୋଳିଗାଁ ନିକଟରେ ରାଣୀ ମୁହାଁସ। ଗୁମ୍ଫା, ଗୋଧସ ଶିବ ମନ୍ଦିର, ପତୋରା ଯୋଗେଶ୍ୱର ଶିବ ମନ୍ଦିର ଭଳି ଅନେକ ଧାର୍ମିକ ସ୍ଥଳୀ ରହିଛି। ଉପତ୍ୟକାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଆରାଧ୍ୟ ଦେବୀ ମାଁ ସୁନାଦେଇ ବେଶ ଚର୍ଚ୍ଚିତ। ବିଶ୍ୱାସ ରହିଛି ମାଁଙ୍କ ଆଜ୍ଞା ବିନା ଏହି ଉପତ୍ୟକାରେ ଗଛର ପତ୍ର ବି ହଳେ ନାହିଁ। ସୁନାବେଡ଼ାସ୍ଥିତ ମନ୍ଦିରରେ ମାଁ ସୁନାଦେଇ ପୂଜା ପାଆନ୍ତି। ରାଣୀ ମୁହାଁସ ଗୁମ୍ଫାରେ ଅନେକ ଦେବଦେବୀ ପୂଜା ପାଉଥିବା ବେଳେ ଗୋଧସ, ପତୋରା ଯୋଗେଶ୍ୱର ମନ୍ଦିରରେ ମହାଦେବ ଶିବ ପୂଜିତ ହୁଅନ୍ତି । ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଐତିହ୍ୟ ଯୋଗେଶ୍ୱର ମନ୍ଦିର।୧୪ ଫୁଟର ବହନ କରୁଥିବା ଗଣେଶ ମୂର୍ତି ମୁଖ୍ୟ ଆକର୍ଷଣ କରୁଥିବା ବେଳେ ପତୋରା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ୭୨ ଫୁଟ ଉଚ୍ଚତାର ପ୍ରସିଦ୍ଧ ଯୋଗେଶ୍ୱର ମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ରାମ ମନ୍ଦିର, ୩୪ ଫୁଟ୍ ଉଚ୍ଚର ହନୁମାନ ମୂର୍ତି ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ମନୋରମ ରାଜୀବ ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ଧୀରେ ଧୀରେ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ସଂଖ୍ୟା ବଢ଼ିବାରେ ଲାଗିଛି ।ପତୋରାରୁ ମାତ୍ର ଆଠ କିମି ଦୂରରେ ସୁନାବେଡ଼ାର ପାଦ ଦେଶରେ ରହିଛି ସୁଉଚ୍ଚ ଜଳପ୍ରପାତ ଗୋଧସ । ଏଠାରେ ଗାଧୋଇବା ସାଙ୍ଗକୁ ଶିବଙ୍କ ଦର୍ଶନ ସବୁ ଯାତ୍ରାକୁ ସାର୍ଥକ କରିଦିଏ। ବଣଭୋଜି କରିବା ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ପ୍ରତିଦିନ ଓଡ଼ିଶା ସମେତ ଛତିଶଗଡ଼ରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବିଶେଷ କରି ଇଂରାଜୀ ନୂଆବର୍ଷ ସମୟ ରେ ଅଧୂକ ଭିଡ଼ ଦେଖୁବାକୁ ମିଳିଥାଏ। ଭୁବନେଶ୍ୱର କିମ୍ବା ଛତିଶଗଡ଼ର ରାଜଧାନୀ ରାୟପୁରରୁ ନୂଆପଡ଼ାକୁ ବସ ଓ ଟ୍ରେନର ସୁବିଧା ରହିଛି । ନୂଆପଡ଼ାରୁ ସୁନାବେଢ଼ାର ଦୂରତାର ୭୦ କିମି ଓ କୋମନାରୁ ୪୦ କିମି ଦୂର । ପ୍ରତିଦିନ ଏହି ଅଂଚଳକୁ ବସରେ ଯାତାଯାତର ସୁବିଧା ରହିଛି । ସୁନାବେଢ଼ା ଓ ପତୋରାରେ ରହିବା ପାଇଁ ବିଶ୍ରାମ ସ୍ଥଳୀ ଓ ଖାଇବା ପାଇଁ ହୋଟେଲର ବ୍ୟବସ୍ଥା ରହିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ