ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ କଲେ ରାଜସ୍ଵ ମନ୍ତ୍ରୀ
ଜୟପୁର, ୨୦ ଡିସେମ୍ବର (ହି.ସ.)- ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଜୟପୁର ଫୁଲବାଡ ସ୍ଥିତ ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଷ୍ଠାନ ପରିସରରେ ବୃକ୍ଷ ରୋପଣ କରିବା ସହିତ ଶୁଭ ଉଦଘାଟନ କରିଥିଲେ। ଦୀର
ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ


ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ


ଜୟପୁର, ୨୦ ଡିସେମ୍ବର (ହି.ସ.)- ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଜୟପୁର ଫୁଲବାଡ ସ୍ଥିତ ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଷ୍ଠାନ ପରିସରରେ ବୃକ୍ଷ ରୋପଣ କରିବା ସହିତ ଶୁଭ ଉଦଘାଟନ କରିଥିଲେ। ଦୀର୍ଘ ଦିନ ଧରି ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବରେ ଚାଲିଥିଲା ଯାହା ଆଜି ମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, କୋରାପୁଟ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜୟପୁର ତହସିଲଦାରଙ୍କ ଦ୍ବାରା ଏହି ପ୍ରତିଷ୍ଠାନ ପରିଚାଳିତ ହେବ। ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୭୮ ଜଣ ରାଜସ୍ବ ନିରୀକ୍ଷକ ତାଲିମ ନେବା ପାଇଁ ତାଲିମ କେନ୍ଦ୍ର ଆରମ୍ଭ କରାଯାଇଛି। ପୂର୍ବରୁ ରାଜ୍ୟରେ ଭୁବନେଶ୍ବର, ସମ୍ବଲପୁର ଓ ଖଲ୍ଲିକୋଟ‌ ଠାରେ ତାଲିମ କେନ୍ଦ୍ର ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟପୁର ଠାରେ ୨ କୋଟି ୯ ଲକ୍ଷ ବ୍ୟୟରେ ଅତ୍ୟାଧୁନିକ ଯନ୍ତ୍ରାଂଶରେ ନିଜସ୍ବ କୋଠା ନିର୍ମାଣ କରାଯାଇଛି। ପ୍ରତିଷ୍ଠାନରେ ରାଜସ୍ବ ନିରୀକ୍ଷକଙ୍କୁ ତାଲିମ ଦେବା ପାଇଁ ଅଫିସ କାର୍ଯ୍ୟାଳୟ ସହ ୨ଟି ସ୍ମାର୍ଟ କ୍ଲାସ୍ ରୁମ୍ ବିଶିଷ୍ଟ ଗୋଟିଏ କୋଠା ଏବଂ ୪୦ ଗୋଟି ରୁମ୍ ବିଶିଷ୍ଟ ପୁରୁଷ ଓ ମହିଳା ତାଲିମ୍ ନେଉଥିବା ଆରଆଇ ମାନଙ୍କୁ ରହିବା ପାଇଁ ୨ଟି ଛାତ୍ରାବାସ ରହିଛି। ପ୍ରତ୍ୟେକ ରୁମରେ ଦୁଇ ଜଣ ଲେଖାଏଁ ଆରଆଇ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ପ୍ରତିଷ୍ଠାନ ପରିସରକୁ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ଏହି ଅଞ୍ଚଳର ଆରଆଇ ମାନଙ୍କୁ ତାଲିମ ନେବା ପାଇଁ ଆଉ ଭୁବନେଶ୍ୱରକୁ ଯିବାକୁ ପଡିବ ନାହିଁ। ଅବିଭକ୍ତ କୋରାପୁଟ ଜିଲ୍ଲାର ଆରଆଇ ମାନଙ୍କୁ ତାଲିମ ଦେବାରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଏହି ପ୍ରତିଷ୍ଠାନରେ କୋରାପୁଟ ଜିଲ୍ଲାର ୩୦ ଜଣ ଆର୍ ଆଇ ପ୍ରଶିକ୍ଷଣ ନେଉଥିବା ବେଳେ ମନ୍ତ୍ରୀ ସେମାନଙ୍କ କ୍ଲାସ୍ ରୁମ୍ ଭିତରକୁ ଯାଇ ସେମାନଙ୍କୁ ଗ୍ରାଉଣ୍ଡ ଜିରୋରେ ଯାଇ କେଉଁଭଳି ଭାବେ କାର୍ଯ୍ୟ କରିବା ଏବଂ ଲୋକଙ୍କ ସେବାରେ ସମର୍ପଣ ମନୋଭାବ ରଖି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ସେବା ସହିତ ଆଗାମୀ ଦିନରେ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଜମି କିଣା ବିକାର ସୁବିଧା ଯୋଗାଇ ଦିଆଯିବ। ଲୋକ ମାନଙ୍କୁ ଆଉ ତହସିଲ୍ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ ତହସିଲଦାର ଘରକୁ ଘର ଯାଇ କାର୍ଯ୍ୟ କରିବେ। ଭୂମିହୀନ ମାନଙ୍କୁ ସରକାର ବସୁନ୍ଧରା ଯୋଜନା ମାଧ୍ୟମରେ ଜାଗା ଯୋଗାଇଦେବା ଏଫ୍ ଆର ଆଇ ଆକ୍ଟ୍ ଅନୁସାରେ ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ଜମି ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଜବରଦଖଲ ଲୋଭରେ ବଶବର୍ତ୍ତୀ ହୋଇ ଯେଉଁମାନେ ସରକାରୀ ଜମିରେ ଜବରଦଖଲ କରିଛନ୍ତି ସେମାନଙ୍କୁ ସମ୍ମାନ ସହ ଜମି ଛାଡ଼ି ଦେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜସ୍ବ ସେବା ଲୋକଙ୍କ ନିକଟରେ ପହଂଚିବା ପାଇଁ ସରକାର କାମ କରୁଛି। ରାଜ୍ୟରେ ଜିରୋ ଟଲରାନ୍ସ ନୀତି ଚାଲିଛି, ୩୦୦ରୁ ଅଧିକ ରାଜସ୍ୱ ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏଥି ମଧ୍ୟରୁ ଦୁର୍ନୀତି କରି ୨୦ ଅଧିକାରୀ ଜେଲ୍ ମଧ୍ୟ ଯାଇଛନ୍ତି। ଏଣୁ ରାଜସ୍ବ ସେବା ଲୋକଙ୍କ ନିକଟରେ ପହଂଚିବା ପାଇଁ ରାଜ୍ୟ ସରକାର ଦୁର୍ନୀତିମୁକ୍ତ ପ୍ରଶାସନ, ଦୁର୍ନୀତିମୁକ୍ତ ସେବା ଏବଂ ତ୍ୱରିତ ସେବା ଯୋଗାଇଦେବାରେ କୌଣସି ବୁଝାମଣା କରିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟଭାନ ମହାଜନ,ଆଇ ଏ ଏସ୍ ପ୍ରବେଶନାରୀ ସନ୍ତୋଷ କୁମାର ପାତ୍ର,ଏସପି ରୋହିତ ବର୍ମା, ଉପଜିଲ୍ଲାପାଳ ସୁଶ୍ରୀ ଆକବରାମ ସସ୍ୟା ରେଡ୍ଡୀ, ତହସିଲଦାର ସବ୍ୟସାଚୀ ଜେନାଙ୍କ ସମେତ ଅନେକ ଅଧିକାରୀ ଓ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande