
ଭୁବନେଶ୍ୱର, ୨୦ ଡିସେମ୍ବର (ହି.ସ)- ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସରଗି ଫୁଲ୍ ମହୋତ୍ସବ ୨୦୨୫। ଏହି ଅବସରରେ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଉଦଯାପନୀ କାର୍ଯ୍ୟକ୍ରମରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ବି. ପରମେଶ୍ୱରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ, ଓବିସି ନିର୍ଦ୍ଦେଶକ ଶ୍ରୀମତୀ ଯୁଗଳେଶ୍ୱରୀ ଦାଶ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ଶ୍ରୀ ସୁଧାକର ଶବର , ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସୁଜାତା ମିଶ୍ର, ବିତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ବନିତା ଦାସ, ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ ।
ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି, “ସରଗି ଫୁଲ୍’’ ପବିତ୍ରତାର ପ୍ରତୀକ । ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣର ସୁଯୋଗ ହେଉଛି ସରଗି ଫୁଲ୍ । ଏହି ଉତ୍ସବରେ ପିଲାମାନଙ୍କ ଅଂଶଗ୍ରହଣ ଏହାକୁ ଅଧିକ ପ୍ରାଣବନ୍ତ ଓ ଗରିମାମୟ କରିଛି ବୋଲି ସେ ମତପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ବିଭାଗ ଅଧିନସ୍ଥ ବିଦ୍ୟାଳୟ ତଥା ଛାତ୍ରାବାସରେ ରହି ପାଠପଢୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଓ ସେମାନଙ୍କ ଦକ୍ଷତାକୁ ବିକଶିତ କରିବା ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ । ଏଥିସହିତ ଏହି ସଫଳ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ କରିଥିବାରୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଭାଗୀୟ ପ୍ରୟାସ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରୟାସରେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏଥିସହ ଚାଇଲ୍ଡ ଟ୍ରାକିଂ ସର୍ଭେ ଓ ଆସ ସ୍କୁଲ ଯିବା ପ୍ରୟାସ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଉଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ତିନିଦିନବ୍ୟାପୀ ଏହି କାର୍ଯ୍ୟକ୍ରମରେ ୧୧୬୦ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ୨୨ ଟି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟ ଅତିଥି । ଏଥିସହ ୫ ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ମଧ୍ୟ ସମ୍ମାନିତ କରାଯାଇଥିବା ବେଳେ ଏକଲବ୍ୟ ବିଦ୍ୟାଳୟର ସିବିଏସଇ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଏଥିସହ ବିଭାଗ ଅଧିନରେ ଥିବା ୫୦ ଟି ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ, ୧୦ ଟି ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସମ୍ମାନିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା