
ଭୁବନେଶ୍ୱର, ୨୦ ଡିସେମ୍ବର (ହି.ସ)- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ ଉଦ୍ୟମ କରିଛି ଯୁବ କଂଗ୍ରେସ। ଶନିବାର ଦିନ ଯୁବ କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଏହାସହ କଂଗ୍ରେସ କର୍ମୀ ମାନେ ପୋଲିସ୍ ଓ ମୁଖ୍ୟମନ୍ତ୍ର୍ରୀଙ୍କ ବାସଭବନକୁ ଅଣ୍ଡା ମାଡ କରିଥିବାର ମଧ୍ୟ ଦେଖାଯାଇଥିଲା। ସୁରକ୍ଷା ପାଇଁ ୪ ପ୍ଲାଟୁନ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଏହି ଅବସରରେ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି ଯେ ରାଜ୍ୟରେ ଆଇନଶୁଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଭୁବନେଶ୍ୱର ଉପକଣ୍ଠ ପର୍ଯ୍ୟଟନ ସ୍ଥଳୀରେ ଯୁବତୀ ସୁରକ୍ଷିତ ନୁହନ୍ତି। ସନ୍ଧ୍ୟା ହେଲେ ଧଳା ଯହର ଆଡା ଖୋଲିଛି, ରାଜରାସ୍ତାରେ ମୁଣ୍ଡ ଗଡୁଛି, ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରିଛି ଯୁବ କଂଗ୍ରେସ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା