
କୋରେଇ, ୨୪ ଡିସେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦା ସ୍ଥିତ ରାଧାରମଣ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ପ୍ରତିଷ୍ଠାତା ପୁରୁଷୋତମ ଦାସ କ୍ରୀଡା ପତାକା ଉତୋଳନ କରି ବାର୍ଷିକ କ୍ରୀଡାର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଖଣ୍ଡଳମଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତାଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତୃପତ ଶେଖର ସ୍ୱାଇଁ ଯୋଗଦେଇ ପିଲାମାନଙ୍କୁ କ୍ରୀଡାର ଉପକାରୀତା ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଦଶମ ଶ୍ରେଣୀର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ୫ଜଣ କୃତୀ ଛାତ୍ର ସରୋଜ କୁମାର ମଲ୍ଲିକ, ଚନ୍ଦ୍ରକାନ୍ତ ପୃଷ୍ଟି ଶୁଭମ ସାହୁ, ଚନ୍ଦ୍ରଶେଖର ସାହୁ, ଦିପ୍ତେଶ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଯାଜପୁର ଜିଲ୍ଲା ଓଷ୍ଟା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବରେ ଦଶମ ଶ୍ରେଣୀର ଛାତ୍ର ଓମ ପ୍ରକାଶ ବେହେରା କଣ୍ଠ ସଂଗୀତ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ଶ୍ରୀକାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ମାନସ କୁମାର ଦାଶ, ଆସଫାନ ହୁସେନ ଖାଁ, ଶିଶିର କୁମାର ସ୍ୱାଇଁ, ରୋଜାଲିନି ରାଉତ, ପଦ୍ମିନୀ ବିଶ୍ୱାଳ ଓ ସେକ ଗୁଫ୍ରାନ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ