
ଭୁବନେଶ୍ୱର , 25 ଡିସେମ୍ବର (ହି.ସ.)ଭାରତ ସରକାର ଆସନ୍ତା ଆସନ୍ତାକାଲିଠାରୁ ରେଳଯାତ୍ରୀ ଭଡ଼ା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି । ଏହି ଯାତ୍ରୀ ଭଡ଼ା ଉଭୟ ପାସେଞ୍ଜର ଓ ଏକ୍ସପ୍ରେସ ରେଳଯାତ୍ରୀଙ୍କ ପାଇଁ ଲାଗୁହେବ । ଏହି ରେଳଭଡ଼ା ବୃଦ୍ଧି ଅବିଳମ୍ବେ ପ୍ରତ୍ୟାହାର ଦାବିରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଳବାଇ ଘରୋଇ କମ୍ପାନୀଙ୍କ ଲାଭ ପାଇଁ ଯାତ୍ରୀମାନଙ୍କ ପକେଟ୍ କାଟିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ନ ଦେଇ ଯାତ୍ରୀ ଶୋଷଣ କରୁଛନ୍ତି । ଟ୍ରେନ୍ଗୁଡ଼ିକରେ ଜେନେରାଲ କୋଚ୍ ହ୍ରାସ କରି ଜେନେରାଲ ଯାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ସରକାର ବୋଲି ଏହି ବିକ୍ଷୋଭରେ ସାମିଲ ହୋଇ କ୍ଷୋଭର ସହ ପ୍ରକାଶ କରିଛନ୍ତି ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର । ସରକାର କରୋନା ମହାମାରୀ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ଯାତ୍ରୀଭଡ଼ାର ୫୦% ରିହାତି ମିଳୁଥିଲା । ସରକାର ଏହି ରିହାତି ମହାମାରୀ ସମୟ ପାଇଁ ସ୍ଥଗିତ ରଖିଥିଲେ, ମାତ୍ର ମହାମାରୀ ହଟିବା ପରେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ପୁନର୍ବାହାଲ ହେଲା ନାହିଁ । ୧୦ ବର୍ଷ ତଳକୁ ଶିଶୁମାନଙ୍କୁ ହାଫ୍ ଟିକେଟ ମିଳୁଥିଲା ଓ ସରକାର ଏବେ ପୁରା ଟିକେଟ ଭଡ଼ା ନେବାକୁ ନିଷ୍ପତ୍ତି କରିଛନ୍ତି ବୋଲି ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭରେ ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ଭୁବନେଶ୍ୱର ଜୋନ ସମ୍ପାଦକ କୈଳାସ ଚନ୍ଦ୍ର ପୁହାଣ, ସହସମ୍ପାଦକ ବିଶ୍ୱଜିତ୍ ନାୟକ, ଶଙ୍କର ବାରିକ, ଅଜିତ ମହାପାତ୍ର, ଶଙ୍କର ବେହେରା, ଶରତ ସ୍ୱାଇଁ, ଛେତମ୍ବର ଭୋଇ, ଦିପକ ମହାପାତ୍ର, ଅର୍ଜୁନ ସେଠୀ ପ୍ରମୁଖ ଏହି ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ବିକ୍ଷୋଭ ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରା ବାହାରି ରେଳ ଷ୍ଟେସନ ଭିତରକୁ ପ୍ରବେଶ କରୁଥିଲାବେଳେ ପୋଲିସ ବିକ୍ଷୋଭକାରୀମାନଙ୍କୁ ଅଟକାଇଥିଲା ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା