

ସମ୍ବଲପୁର, ୨୫, ଡିସେମ୍ବର (ହି.ସ.)
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇକୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଗିରଫ ପରେ ତାଙ୍କୁ ଭିଜିଲାନ୍ସ ବିଚାର ବିଭାଗୀୟ କୋର୍ଟକୁ ଚାଲାଣ କରାଯାଇଥିଲା ।
ଭିଜିଲାନ୍ସ ତଦନ୍ତରେ ଶ୍ରୀ ଭୋଇ ତାଙ୍କ ଆୟ ଠାରୁ ପ୍ରାୟ ୮୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ । ଯାହାକି ତଦନ୍ତ ବେଳେ ଠୁଳ କରିଥିବା ସମ୍ପତ୍ତିର ଉତ୍ସ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।
ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ୨୬/୨୫ରେ ଦୁର୍ନୀତି ନିବାରଣ ଆଇନ (ସଂଶୋଧନ)–୨୦୧୮ ର ଧାରା ୧୩ (୨) ସହ ୧୩(୧)(ଖ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଶ୍ରୀଭୋଇଙ୍କ
ଘର ତଲାସୀ ସମୟରେ ଶ୍ରୀ ଭୋଇ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ତାହା ମଧ୍ୟରେ ବରଗଡ଼ରେ ଅବସ୍ଥିତ ୪ ହଜାର ବର୍ଗଫୁଟ୍ ଅଞ୍ଚଳ ବିଶିଷ୍ଟ ଏକ ଦୁଇତଳ ବାସଗୃହ, ସମ୍ବଲପୁରର ଚରଭାଟି ଅଞ୍ଚଳରେ ୧୭ଶହ ବର୍ଗଫୁଟ୍ ଅଞ୍ଚଳ ବିଶିଷ୍ଟ ଏକ ଭବନ, ୧୬ ଟି ମୂଲ୍ୟବାନ ପ୍ଲଟ୍, ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ଗୋଟିଏ ଚାରିଚକିଆ ଗାଡ଼ି ଓ ୪ ଟି ବାଇକ୍ ସହିତ ୬.୦୭ ଲକ୍ଷ ଟଙ୍କା ମୂଲ୍ୟର ଗୃହ ସାମଗ୍ରୀ ରହିଛି। ସମସ୍ତ ତଦନ୍ତ ପରେ ଶ୍ରୀ ଭୋଇଙ୍କ ଆୟ, ବ୍ୟୟ ଓ ସମ୍ପତ୍ତି ହିସାବ କରାଯାଇ ତାଙ୍କ ପାଖରେ ଜଣାଶୁଣା ଆୟ ସ୍ରୋତଠାରୁ ୮୦ ପ୍ରତିଶତ ଅଧିକ ଆୟବର୍ହିଭୂତ ସମ୍ପତ୍ତି ଥିବା ନିଶ୍ଚିତ ହେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ