
କନ୍ଧମାଳ, ୨୫ ଡିସେମ୍ବର (ହି.ସ.)- ଆଜି ସ୍ଥାନୀୟ କରୋନେସନ ପଡ଼ିଆଠାରେ ସାଂସଦଙ୍କ ମାର୍ଗଦର୍ଶନ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମିଳିତ ସହଯୋଗରେ ୨୧ ସେପ୍ଟେମ୍ବର ଠାରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଆସୁଥିବା ସାଂସଦ ଖେଳ ମହୋତ୍ସବ ୨୦୨୫ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ କରୋନେସନ ପଡ଼ିଆ ପର୍ଯ୍ୟନ୍ତ ଏକ ମଶାଲ ଯାତ୍ରା ଆୟୋଜନ କରାଯାଇଥିଲା । କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ଉଭୟ ବାଳିକା ଓ ବାଳକ ପ୍ରତିଯୋଗୀମାନଙ୍କୁ ନେଇ କ୍ରିକେଟ, ଖୋ ଖୋ, କବାଡି, ଭୋଲିବଲ୍, ଚେସ୍, ଫୁଟବଲ, ବ୍ୟାଡମିଣ୍ଟନ, ପୁଚି ଆଦି ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କିଭଳି ଭାବରେ ଆଗାମୀ ଦିନରେ ବହୁମାତ୍ରାରେ ଗାଁ ଗହଳିର ଖଳାଳୀଙ୍କ ପ୍ରତିଭାକୁ ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ସେମାନଙ୍କର ପ୍ରତିଭା ପ୍ରତିପାଦନ କରିବା ପାଇଁ ସୁଯୋଗ ଦେବା ସହିତ ଲୋକଲୋଚନକୁ ଅଣାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଅନ୍ତର୍ଜାତୀୟ ୧୦୦ ଓ ୨୦୦ ମି. ଧାବିକା ଦୁତୀ ଚାନ୍ଦ, ଅନ୍ତର୍ଜାତୀୟ ଚେସ୍ ଖେଳାଳି ସ୍ଵୟଂଶୁ ସତ୍ୟପ୍ରଜ୍ଞାନ, ଅଲିମ୍ପିୟାନ ତଥା ଅର୍ଜୁନ ପୁରସ୍କାରରେ ପୁରସ୍କୃତ କେ ରବି କୁମାର, ଚେସ ଖେଳାଳି ସାଞ୍ଚି ସାହୁ ଯୋଗଦେଇ ଉପସ୍ଥିତ ଖେଳାଳିମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ଓ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରୋଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାପାଳ ସ୍ବାଗତ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ ବାଣୁଆ, ଜିଲ୍ଲା କ୍ରିଡା ଅଧିକାରୀ ସମୀର ନାୟକ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର, ଫୁଲବାଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ଭାଜପା ଜିଲ୍ଲା ସଭାପତି ପଣ୍ଡିତ ବିସି ମାଝୀ, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, କନ୍ଧମାଳ ଲୋକସଭା ମଣ୍ଡଳୀର ବିଭିନ୍ନ ବିଧାନସଭା କ୍ଷେତ୍ରର ଖେଳାଳି, ପ୍ରଶିକ୍ଷକ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ