
ଭଦ୍ରକ, ୨୫ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ବଜାରରେ ଜବରଦଖଲ ଉଚ୍ଛେଦକୁ ନେଇ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଦିନ ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଏବେ ବିବାଦ ଘେରକୁ ଆସିଛି। ଅଭିଯୋଗ ହୋଇଛି ଯେ, ବଜାରର ଶତାଧିକ ବେଆଇନ ଦୋକାନ ଘରକୁ ଛାଡ଼ି ପ୍ରଶାସନ କେବଳ ଏକ ନିର୍ଦ୍ଦିଷ୍ଟ ପ୍ଲଟ କୁ ଟାର୍ଗେଟ କରି ଭାଙ୍ଗିଛି। ସୁଚନା ଥାଉ କି ଧୁଷୁରୀ ବଜାରରେ ପ୍ରାୟ ୧୫୦ରୁ ଅଧିକ ଦୋକାନ ଘର ସରକାରୀ ଜାଗା ଏବଂ ଅନାବାଦୀ ଜମିରେ ରହିଛି। ଦୀର୍ଘ ଦିନ ହେବ ଏହାକୁ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବା ବେଳେ, ବୁଧବାର ଧାମନଗର ତହସିଲଦାରଙ୍କ ଉପସ୍ଥିତିରେ ଏବଂ ପୋଲିସ ଫୋର୍ସ ସହାୟତାରେ ଏକ ନିର୍ଦ୍ଦିଷ୍ଟ ମିଠା ଦୋକାନ ଉପରେ ବୁଲଡୋଜର ଚାଲିଥିଲା। ଅଇଁଠି ସାହୁ ମିଠା ଦୋକାନ ମାଲିକ ବାବୁଲାଲ ସାହୁ ଅଭିଯୋଗ କରିଛନ୍ତି। ଉଚ୍ଛେଦର ଶିକାର ହୋଇଥିବା ଅଇଁଠି ସାହୁ ମିଠା ଦୋକାନର ମାଲିକ ବାବୁଲା ସାହୁ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶାସନ ପ୍ଲଟ ନମ୍ବର ୨୨୧୧ ଭାଙ୍ଗିବା କଥା, କିନ୍ତୁ ଜାଣିଶୁଣି ପ୍ଲଟ ନମ୍ବର ୨୨୧୦ (ଖାତା ନଂ ୮୧୧) କୁ ଭଙ୍ଗା ଯାଇଛି।ପାରିବାରିକ କଳହର ଭାଇ-ଭାଇଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ ମାମଲା ହାଇକୋର୍ଟକୁ ଯାଇଥିଲା। ଏହି ଆଳରେ ପ୍ରଶାସନକୁ ହାତ କରି ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ବଜାରରେ ଅନ୍ୟ ସମସ୍ତ ଜବରଦଖଲକାରୀ ଅଛନ୍ତି, ମାତ୍ର ସେମାନଙ୍କୁ କିଛି ନକହି କେବଳ ତାଙ୍କୁ ହିଁ ଉଚ୍ଛେଦ କରାଯାଇଛି। ବହୁ ସଂଖ୍ୟକ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନର ଏହି ନାଟକୀୟ ଉଚ୍ଛେଦକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି କାହା ଚାପରେ ପ୍ରଶାସନ କେବଳ ଗୋଟିଏ ପ୍ଲଟ କୁ ଟାର୍ଗେଟ କଲା। ସରକାରୀ ଜାଗା ଜବରଦଖଲ ମୁକ୍ତ ହେବା ସ୍ୱାଗତଯୋଗ୍ୟ, କିନ୍ତୁ ଏହା ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ଦିଗରେ ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ କହିଛନ୍ତି ଯେ ତାଙ୍କ ର ଭାଇ ଭାଇ ମଧ୍ୟ ରେ କଳିି ଲାଗି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଧୂଷୁରି ବଜାର ରେ ଜବର ଦଖଲ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ସେଠୀ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ