କନ୍ଧମାଳ ଜିଲ୍ଲାର ଦୁଇଟି ସ୍ଥାନରେ କୁମ୍ବିଙ୍ଗ ବେଳେ ଗୁଳି ବିନିମୟ : କେନ୍ଦ୍ରୀୟ କମିଟି ମେମ୍ବର ଗଣେଶ ସମେତ ୪ ପୁରୁଷ ଓ ୨ ମହିଳା ମାଓବାଦୀ ମୃତ
Mao kumbing update news from Phulbani
କନ୍ଧମାଳ


କନ୍ଧମାଳ, ୨୫ ଡିସେମ୍ବର (ହି.ସ.)- କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୁମ୍ବିଂ ଅପରେସନ ଜାରି ରହିଛି । ବୁଧବାର ରାତିରେ ଜିଲ୍ଲାର ବେଲଘର ଥାନା ଅଞ୍ଚଳର ଗୁମ୍ମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ତୁମୁଡିବନ୍ଧ ବ୍ଲକ ବେଲଘର ପେଡମ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। ସେଠାରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ପେଡମ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଏବଂ ପୋଲିସକୁ ରାଜ୍ୟ ସ୍ବତନ୍ତ୍ର ଗୁଇନ୍ଦା ଦଳ ପକ୍ଷରୁ ସୂଚନା ମିଳିଥିଲା। ଏହାପରେ ଏସ୍ ଓ ଜି, ଡିଭିଏଫ, ସିଆରପିଏଫ୍ ଏବଂ ବିଏସଏଫ ଜବାନ ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସାଦା ପୋଷାକରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଫଳରେ ଜବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡ଼ିଛି। ଉଭୟଙ୍କ ମୁଣ୍ଡ ପାଇଁ ୨୩ ଲକ୍ଷ ୬୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ଏନ୍‌କାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଅନୁରୂପ ଭାବେ ରାଜ୍ୟ ସ୍ୱତନ୍ତ୍ର ଗୁଇନ୍ଦା ଦଳ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ରମ୍ଭା ବନାଞ୍ଚଳରେ ୨୩ଟି ଦଳ (୨୦ଟି ଏସଓଜି, ୨ଟି ସିଆରପିଏଫ, ୧ଟି ବିଏସଏଫ ) କୁ ନେଇ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଆଜି ସକାଳେ ବିଭିନ୍ନ ସ୍ଥାନରେ ଏସଓଜି ଦଳ ସହିତ ଅନେକ ଥର ଗୁଳି ବିନିମୟ ହୋଇଥିଲା। ଅଞ୍ଚଳ ତଲାସି ପରେ, ୟୁନିଫର୍ମ ପିନ୍ଧିଥିବା ୪ ମାଓବାଦୀଙ୍କ ମୃତଦେହ (୨ଟି ପୁରୁଷ ଏବଂ ୨ଟି ମହିଳା) ସମେତ ୨ଟି ଇନସାସ ରାଇଫଲ୍, ଗୋଟିଏ ୩୦୩ ରାଇଫଲ୍ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ରାଜ୍ୟର ଟପ ମାଓ ନେତା ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ମେମ୍ବର ଗଣେଶ ଉଇକେ ଓରଫ ରୁପା, ରାଜେଶ ତିୱାରୀ, ଚାମୁରୁ, ପକ୍କା, ହନୁମନ୍ତୁ(୬୯)ର ଶବକୁ ଚିହ୍ନଟ କରାଯାଇଛି। ସେ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ସେ ଓଡ଼ିଶାରେ ନକ୍ସଲ ସଂଗଠନର ମୁଖ୍ୟ ଥିଲା ବୋଲି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି ସୂଚନା ଦେଇଛନ୍ତି । ଅନ୍ୟ ୩ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନାହିଁ । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେଶନ ଜାରି ରହିଛି। ଆଗକୁ ଏହି ଅପରେସନ ଆହୁରି ଜୋରଦାର୍ ହେବ ବୋଲି ଏସପିଙ୍କ ସୂତ୍ରରୁ ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande