
କେନ୍ଦ୍ରାପଡା, ୨୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ଅମଳ ବିଗତ ବର୍ଷ ଅପେକ୍ଷା ଭଲ ହୋଇଛି । ଚାଷୀମାନେ ଧାନ କାଟି ନେଲା ପରେ ବିଲରେ ରହି ଯାଇଥିବା ନଡାକୁ ନିଆଁ ଲଗାଇ ପୋଡି ଦେଉଛନ୍ତି । ଏହା ପରିବେଶକୁ ପ୍ରଦୂଷଣ କରିବା ସହିତ ଘନ କୁହୁଡି ହେବାରେ ସାହାଯ୍ୟ କରେ । ଏହାଦ୍ୱାରା ଜମିରେ ଥିବା ଉପକାରୀ ଜୀବାଣୁ ନଷ୍ଟ ହୋଇ ଯାଇଥାନ୍ତି । ଫଳରେ ପରବର୍ତୀ ସମୟରେ ଅମଳ କମ ହେବାର ଆଶଙ୍କା ଅଛି । ତେଣୁ ଏପରି କାର୍ଯ୍ୟରୁ ବିରତ ରହିବାକୁ ଜିଲ୍ଲାର ସମସ୍ତ ଚାଷୀଭାଇ ମାନଙ୍କୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ତରଫରୁ ନିବେଦନ କରାଯାଇଛି । ପରବର୍ତୀ ସମୟରେ ଏହା ପୁନରାବୃତି ହେଲେ ପରିବେଶ ଉପରେ ଅଧିକ ପ୍ରଭାବ ପଡିବ ଓ ପରିବେଶ ଅସନ୍ତୁଳନ ହେବାର ଆଶଙ୍କା କରାଯାଉଛି । ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଏଥିରୁ ନିବୃତ ରହିବାକୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି