ଭାରତର ପୂର୍ବତନ ପ୍ରଧାମନ୍ତ୍ରୀ ଭାରତରତ୍ନ ଶ୍ରଦ୍ଧେୟ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଶତାଦ୍ଦୀ ବର୍ଷ ପାଳନ ଏବଂ ୧୦ମ ଅଟଳ ସମ୍ମାନ-୨୦୨୫ ପ୍ରଦାନ
ଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଓଡ଼ିଶାକୁ ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର, ଡିସେମ୍ବର ୨୫ (ହି.ସ.) ଭାରତ ବିଶ୍ୱଗୁରୁ ହେବ ବୋଲି ସ୍ୱାମୀ ବିବେକାନନ୍ଦ ଦିନେ କହିଥିଲେ। ବାସ୍ତବରେ ଏହାର ମୂଳଦୁଆ ପକାଇଥିଲେ ଭାରତର ପୂର୍ବତନ ପ୍ରଧ
ଭାରତର ପୂର୍ବତନ ପ୍ରଧାମନ୍ତ୍ରୀ ଭାରତରତ୍ନ ଶ୍ରଦ୍ଧେୟ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଶତାଦ୍ଦୀ ବର୍ଷ ପାଳନ ଏବଂ ୧୦ମ ଅଟଳ ସମ୍ମାନ-୨୦୨୫ ପ୍ରଦାନ


ଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଓଡ଼ିଶାକୁ ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, ଡିସେମ୍ବର ୨୫ (ହି.ସ.) ଭାରତ ବିଶ୍ୱଗୁରୁ ହେବ ବୋଲି ସ୍ୱାମୀ ବିବେକାନନ୍ଦ ଦିନେ କହିଥିଲେ। ବାସ୍ତବରେ ଏହାର ମୂଳଦୁଆ ପକାଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଜୀ। ଏହାକୁ ବାସ୍ତବତାରେ ପରିଣତ କରିବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ପଣ କରିଛନ୍ତି। ନିରନ୍ତର ପ୍ରୟାସ ଫଳରେ ଆମେ ଏହି ସ୍ୱପ୍ନକୁ ବାସ୍ତବତାର ରୂପ ଦେଇପାରିବା ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀଙ୍କ ୧୦୧ ତମ ଜନ୍ମ ଦିବସ ତଥା ଜନ୍ମ ଶତବାର୍ଷିକ ପାଳନ ଅବସରରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ଅବସରରେ ଆୟୋଜିତ “୧୦ମ ଅଟଳ ସମ୍ମାନ-୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରତିକୁଳ ପରିସ୍ଥିତିରେ ଅସାଧାରଣ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥିଲେ ଅଟଳଜୀ। ସେ ବିକାଶର ଅଭିଳାଷକୁ ବୁଣି ଭାରତବର୍ଷକୁ ସଡ଼କ ପଥରେ ଏକାକାର କରିବାର ଯୁଗପୁରୁଷ ଥିଲେ। ସ୍ୱାଧୀନ ଭାରତବର୍ଷର ସୁଶାସନର ପ୍ରବର୍ତକ, ସାରସ୍ୱତ ସାଧକ, ପାଂଚ ଦଶନ୍ଧିର ସାଂସଦ, ଯୁଗାନ୍ତକାରୀ, ମହାମାନବ, ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳଜୀ ସବୁ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇରହିବେ।

କ୍ଷମତାରେ ରହିବା ପାଇଁ କେବେ ନୈତିକତା ଓ ଆଦର୍ଶ ସହ ସାଲିସ କରି ନ ଥିବା ଅଟଳଜୀ କୃଷକମାନଙ୍କ ଦୁଃଖକୁ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ। ସେ କୃଷକମାନଙ୍କ ପାଇଁ କିଶାନ କ୍ରେଡିଟ୍ କାର୍ଡ ଓ ଫସଲବୀମା ଯୋଜନା ଆରମ୍ଭ କରିଥିଲେ। ସେ କେବେ କାହାର ଚାପରେ ଆସୁ ନ ଥିଲେ। ପରମାଣୁ ପରୀକ୍ଷଣ କରିବାଠାରୁ କାର୍‌ଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ସଫଳ ହୋଇଥିଲେ। ସ୍ୱର୍ଗତଃ ଅଟଳଜୀଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଛି। ସେଥିପାଇଁ ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ବିକଶିତ ଭାରତ ଗଢିବା ପାଇଁ ଅଟଳଜୀ ଯେଉଁ ପ୍ରୟାସ କରିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ତାହାକୁ ପୂରଣ କରି ଚାଲିଛନ୍ତି।

ରାଷ୍ଟ୍ରୀୟ ବିଚାର, ଆଦର୍ଶ ଓ ଚିନ୍ତାଧାରାକୁ ଆଧାର କରି ଜନସଂଘ ପରେ ୧୯୮୦ ମସିହାରେ ପ୍ରତିଷ୍ଠାତା ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ସ୍ୱର୍ଗତ ଅଟଳଜୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଆଉ ପଛକୁ ଫେରି ଚାହିଁନାହିଁ। ଅନେକ ଘାତ ଓ ପ୍ରତିଘାତକୁ ସାମ୍ନା କରି ଭାରତୀୟ ଜନତା ପାର୍ଟି ସମ ଚିନ୍ତାଧାରା ଥିବା ଅନ୍ୟ ରାଜନୈତିକ ଦଳକୁ ସାଥିରେ ନେଇ ଦେଶ ସମେତ ଆଜି ଦେଶର ୨୧ଟି ରାଜ୍ୟରେ ଶାସନ ଦାୟିତ୍ୱରେ ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦିଗଦର୍ଶନରେ ଓଡିଶାକୁ ଭାରତବର୍ଷର ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢି ତୋଳିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାଧାରାରେ ଥିଲେ ଦୁରଦଷ୍ଟା, ରାଷ୍ଟନୀତିଜ୍ଞ, ରାଜନୀତିଜ୍ଞ, କବି, ଦାର୍ଶନିକ, ସମାଜସେବୀ ଓ ଦେଶଭକ୍ତ। ରାଷ୍ଟ୍ରୀୟ ଚିନ୍ତାଧାରାରେ ନିଜ ଜୀବନ ଯୌବନକୁ ସମର୍ପଣ କରି ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ସ୍ୱଗର୍ତଃ ଅଟଳଜୀ ଆଗାମୀ ୧୦୦ ବର୍ଷ ପାଇଁ ଦେଶର ବିକାଶର ନକ୍ସା ତିଆରି କରିଥିଲେ। ନୂଆଭାରତ ବର୍ଷ ଗଠନରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ତାଙ୍କୁ ନୂଆଭାରତ ବର୍ଷର ନିର୍ମାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ନେଇ ତାଙ୍କ ଜନ୍ମଦିବସକୁ ସାରା ଭାରତରେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ସେ ଯେତେବେଳେ କ୍ଷମତାକୁ ଆସିଲେ, ସେତେବେଳେ ଭାରତ ୧୪ ଲକ୍ଷ କୋଟି ଟଙ୍କା ଋଣରେ ବୁଡ଼ିଥିôଲା। ଏହାସତ୍ୱେ ଭାରତ ବର୍ଷ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କରି ଦେଶର ଅର୍ଥନୀତିକୁ ୧୯ରୁ ୧୧ ନମ୍ବର ସ୍ଥାନରେ ପହଂଚାଇ ପାରିଥିଲେ। ପ୍ରତିକୂଳ ପରସ୍ଥିତି ସତ୍ୱେ ପରମାଣୁ ପରୀକ୍ଷଣ କରି ବିଶ୍ୱବିଜୟୀ ଅଭିଯାନରେ ଭାରତକୁ ସାମିଲ କରିଥିଲେ। ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ କେବେ ଭୁଲି ହେବନାହିଁ। ଦିଲ୍ଲୀପରେ ଓଡ଼ିଶାରେ ଏମ୍ସ ହସ୍ପିଟାଲ ଖୋଲିବା ପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଅନେକ ଗରିବ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ସେବାପାଇ ପାରୁଛନ୍ତି। ୩୩ ହଜାର କୋଟି ଟଙ୍କାରେ ତୈଳ ବିଶୋଧନାଗାର ତିଆରି କରିବା ପାଇଁ ତାଙ୍କର ଯେଉଁ ସ୍ୱପ୍ନ ଥିଲା, ତାହା ଆଜି ପୂରଣ ହୋଇଛି। ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିଲା ନାହିଁ। ସେ ଓଡ଼ିଶାର ଜନଜୀବନ ସହ ଜଡିତ ଥିଲେ। ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥତମ ବୃହତ୍ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି। ଏହାର ଭିତିଭୂମି ପ୍ରତିଷ୍ଠା କରିଥିଲେ ଅଟଳଜୀ। ତାଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟଭାବେ ଗଢ଼ି ତୋଳିବା ପାଇଁ ଆମସମସ୍ତଙ୍କୁ ନିରନ୍ତର ଉଦ୍ୟମ କରିବାକୁ ପଡ଼ିବ।

ବିକଶିତ ଭାରତ ଗଢ଼ିବା ପାଇଁ ଅଟଳଜୀ ଯେଉଁ ପ୍ରୟାସ କରିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ତାହାକୁ ପୂରଣ କରି ଚାଲିଛନ୍ତି। ସ୍ୱର୍ଗତ ବାଜପେୟୀଙ୍କ ମାର୍ଗରେ ଆମେ ସମସ୍ତେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂହ ତୋମାର କହିଛନ୍ତି।

ସ୍ୱର୍ଗତ ବାଜପେୟୀ ଓଡ଼ିଶାବାସୀଙ୍କୁ ଅନ୍ତରର ସହ ଭଲପାଉଥିଲେ। ସେ ଓଡ଼ିଶାର କଳା, ସଂସ୍କୃତି ଉପରେ ଗଭୀର ଅନୁଧ୍ୟାନ କରିଥିଲେ। ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ କେବେ ଭୁଲି ହେବ ନାହିଁ। ସ୍ୱର୍ଗତ ବାଜପେୟୀ ଦେଖାଇଥିବା ବାଟରେ ଆଗକୁ ବଢ଼ିଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଏହି ଅବସରରେ ଶ୍ରୀ କୁଞ୍ଜବିହାରୀ ପାଣିଗ୍ରାହୀଙ୍କୁ ଅଟଳ ସମ୍ମାନ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଡ. ଭାଗ୍ୟଲିପି ମଲ୍ଲଙ୍କୁ ଅଟଳ ସଂସ୍କୃତି ସମ୍ମାନ, ଶ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଅଟଳ କବିତା ସମ୍ମାନ, ସମ୍ବଲପୁରର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଉର୍ତ୍ସଗକୁ ଅଟଳ ସେବା ସମ୍ମାନ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କୁ ଅଟଳ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ, ପୂର୍ବତନ ରାଜ୍ୟ ସଭାପତି ଉପସ୍ଥିତ ରହି ସେମାନଙ୍କୁ ଉପଢୌକନ, ମାନପତ୍ର, ଫଳକ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ବିଶିଷ୍ଠ ସଂଗୀତକାର ତଥା ସାଂସ୍କୃତିକ ପ୍ରକୋଷ୍ଠର ପୂର୍ବତନ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ ସମ୍ମାନିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅଭିନେତା ହରିହର ମହାପାତ୍ର କବିତାପାଠ ସହ ଯୁବଚିତ୍ରଶିଳ୍ପୀ ସୁମିର୍ ବେହେରା ଅଟଳଜୀ ଫଟୋ ତିଆରି କରି ସମସ୍ତଙ୍କ ମନ ମୋହିଥିଲେ। ରାଜ୍ୟ ସମ୍ପାଦିକା ତଥା ସାଂସ୍କୃତିକ ପ୍ରକୋଷ୍ଠର ଆବାହିକା ଶ୍ରୀମତୀ ପିଙ୍କି ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନାରେ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ ଅଟଳଜୀଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ ଏବଂ ଅଟଳଜୀଙ୍କ ବାଲୁକା କୃତିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରମୁଖ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଅଟଳଜୀ ସ୍ମତି ଚାରଣ କରି ତାଙ୍କଦ୍ୱାରା ଲିଖିତ କବିତାପାଠ ପଠନ କରାଯାଇଥିଲା। ଅପରାହ୍ନରେ ସ୍ୱର୍ଗତଃ ଅଟଳଜୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମୁତିଚାରଣ ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ଅଟଳଜୀଙ୍କୁ ସ୍ମୃତିଚାରଣ କରି ତାଙ୍କ ଦ୍ୱାରା ଲିଖିତ କବିତା ପାଠ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande