
ମାଲକାନଗିରି, ୨୫ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲିର ସଫେଇ ଯୋଦ୍ଧା ପାଲଟିଛନ୍ତି ଦୁଇ ଆଦିବାସୀ ମହିଳା । ସଫେଇ କାର୍ଯ୍ୟରେ ନିୟୋଜିତ ହୋଇ ଆତ୍ମନିର୍ଭରଶୀଳ ହେବା ସହ ସହରକୁ ସଫା କରିବାର ଗୁରୁ ଦାୟିତ୍ୱ ନେଇଛନ୍ତି ୨ ଆଦିବାସୀ ମହିଳା । ଦିନେ ଘର ଚୁଲି ମୁଣ୍ଡରେ ବିତୁଥିଲା ଜୀବନ । ଏବେ ସ୍ୱାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ପ୍ରଶାସନ । ସ୍ୱଚ୍ଛ ଭାରତ ମିଶନ ଜରିଆରେ ନିଯୁକ୍ତି ପାଇ ସ୍ୱଚ୍ଛତା ବାର୍ତା ବାଂଟୁଛନ୍ତି ମାଲକାନଗିରି ମାଥିଲି ସଦରର ଦୁଇ ମହିଳା ବିଦେଶୀ ଗଣ୍ତା ଓ ସୁନ୍ଦରୀ ମାଡ଼ିଆ। ପୂର୍ବରୁ ଘର ବାହାରକୁ ବାହାରି ପାରୁନଥିଲେ । ଗରିବ ଶ୍ରେଣୀରୁ ହୋଇଥିବାରୁ ରୋଜଗାର ମଧ୍ୟ ନଥିଲା । ମାଥିଲି ପଂଚାୟତ ପକ୍ଷରୁ ପଂଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଙ୍କ ଉଦ୍ୟମ ରେ ସ୍ୱଚ୍ଛତା ପାଇଁ ୨ ମହିଳାଙ୍କୁ ନିଯୁକ୍ତି ଦିଆଯାଇ ମାସିକ ଦରମା ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ପ୍ରତିଦିନ ସକାଳୁ ଆସି ମାଥିଲି ଠାରୁ ବଳଦିଆଗୁଡା ପର୍ଯ୍ୟନ୍ତ ଇ - ଯାନରେ ବୁଲି ଆବର୍ଜନା ଉଠାଉଛନ୍ତି ବିଦେଶୀ ଓ ସୁନ୍ଦରୀ । ଖାଲି ଯେ ସଫେଇ କରୁଛନ୍ତି ତା' ନୁହେଁ, ନିର୍ମଳ ଏବଂ ସ୍ୱଚ୍ଛ ପରିବେଶ ନେଇ ଲୋକଙ୍କୁ ସଚେତନ ବି କରାଉଛନ୍ତି । ପ୍ଲାଷ୍ଟିକ ବୋତଲ, ପଲିଥିନ ଏବଂ ଆବର୍ଜନାକୁ ଇ-ଯାନରେ ଭର୍ତି କରି ସଦର ଠାରୁ ଗୋଟେ କିଲୋମିଟରରେ ଥିବା ଆବର୍ଜନା କେନ୍ଦ୍ରରେ ନେଇ ଫିଙ୍ଗୁଛନ୍ତି ।
ଆମ ଆଖପାଖ ପରିବେଶ ସଫା ରହିଲେ, ଶରୀର ବି ସୁସ୍ଥ ରହିବ। ଗରିବ ପରିବାର ହୋଇଥିଲେ ମଧ୍ୟ ଏକଥାକୁ ମର୍ମେ ଉପଲବ୍ଧି କରିଛନ୍ତି ଏହି ୨ ଆଦିବାସୀ ମହିଳା। ଯାହାକୁ ପ୍ରଂଶସା କରିଛନ୍ତି ସ୍ଥାନୀୟ ଲୋକ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ