
କେନ୍ଦ୍ରାପଡା, ୨୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ହେଉଥିବା ସଂସଦୀୟ କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ ୨୦୨୫ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ସଂଯୋଜକ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡ଼ାର ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଯୁବ ଖେଳ ପ୍ରତିଭାର ଗନ୍ତାଘର। ଏହି ଖେଳ ପ୍ରତିଯୋଗିତା ଅନେକ ଲୁକ୍କାୟିତ ପ୍ରତିଭାବାନ କ୍ରୀଡ଼ାବିତଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରିଛି। ଏତେ ସଂଖ୍ୟାରେ ପ୍ରତିଭାବାନ କ୍ରୀଡ଼ାବିତ ଆମ ଜିଲ୍ଲାରେ ଥିଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଥିଲେ। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ନିଶ୍ଚିତ ସଫଳ ହୋଇଛି । ଆସନ୍ତା ବର୍ଷ ଏହି କ୍ରୀଡାରେ କେନ୍ଦ୍ରାପଡ଼ାରେ ଲକ୍ଷାଧିକ ଖେଳାଳିଙ୍କୁ ସାମିଲ କରାଯିବା ପାଇଁ ପ୍ରୟାସ କରାଯିବ ଏବଂ ଏହି କ୍ରୀଡ଼ାବିତମାନେ ଆଗାମୀ ଭବିଷ୍ୟତରେ ରାଜ୍ୟ, ରାଷ୍ଟ୍ରୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବା ପାଇଁ ଅପୂର୍ଵ ସୁଯୋଗ ପାଇବେ ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମହାକାଳପଡ଼ାର ବିଧାୟକ ଡଃ. ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟର, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଜ୍ୟୋତ୍ସ୍ନାରାଣୀ ଜେନା, କିଶୋର କୁମାର ପଣ୍ଡା, ଗୀତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, କୃଷ୍ଣଚନ୍ଦ୍ର ପଣ୍ଡା, ଲଳିତ ବେହେରା, ଦୁର୍ଯ୍ୟଧନ ସାହୁ, ସଲିମ ଖାଁ, ଅଭିମନ୍ୟୁ ଗୋଛାୟତ, ସଞ୍ଜୟ ରଥ, ଉମାକାନ୍ତ ପଟ୍ଟନାୟକ, ସୁମନ୍ତ କୁମାର ଘଡ଼ାଇ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ କ୍ରୀଡ଼ାବିତ ମାନଙ୍କ ସହ ଯୋଡି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିବାନୀ ପ୍ରିୟଦର୍ଶିନୀ ପରିଡା ( ଭଲିବଲ ), ମୋନାଲି ସ୍ୱାଇଁ ( ସନ୍ତରଣ ), ରୋଶନ କୁମାର ସ୍ୱାଇଁ (ଶକ୍ତି ଉତ୍ତୋଳନ), ଶୀତଲ ରାଉତ (୧୯ବର୍ଷରୁ କମ କ୍ରିକେଟ )ଙ୍କୁ ସମ୍ବର୍ଧିତ କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଉଦଯାପନୀ ଉତ୍ସବରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ରବି