




ବଲାଙ୍ଗିର, 28 ଡିସେମ୍ବର (ହି.ସ.)
ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଓ ମଠଖାଇ ମହୋତ୍ସବ ପାଳନ କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର ମହାପାତ୍ର(କେସି)ଙ୍କ ସ୍ମୃତିରେ ଆୟୋଜିତ ୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ସ୍ଥାନୀୟ କୋସଲ କଳାମଣ୍ଡଳ ପଡ଼ିଆରେ ହୋଇଯାଇଛି। ଭୂମିକା ସଭାପତି ବ୍ୟାସଦେବ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ନାଟ୍ୟ ନିର୍ଦେଶକ ସୁବୋଧ ପଟନାୟକ ଯୋଗଦେଇ ନାଟକ ଏକତା ସୃଷ୍ଟି କରିଥାଏ ବୋଲି କହିଥିଲେ। ପରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ନାଟକ ସମାଜରେ ପରିବର୍ତ୍ତନ ଆଣିଥାଏ ବୋଲି କହିଥିଲେ। ଏଥିସହ ସେ କୋସଲ କଳା ମଣ୍ଡଳ ପଡିଆର ଉନ୍ନତି ତଥା ନିର୍ମାଣଧୀନ ଅଡିଟୋରିୟମ ଶୀଘ୍ର ସମ୍ପୂର୍ଣ୍ଣ କରନ୍ତୁ ବୋଲି କହିଥିଲେ।
ଆଜିର କାର୍ଯ୍ୟକ୍ରମ ମଞ୍ଚକୁ ନାଟ୍ୟକାର ସ୍ଵର୍ଗତ ଉଗ୍ରସେନ ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଏହି ଅବସରରେ ଶାଗୁଆ ବଲାଙ୍ଗିର ସଂଗଠନଙ୍କୁ ମଠଖାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଭୂମିକା ସମ୍ପାଦକ ରଶ୍ମୀରଞ୍ଜନ ବକ୍ସି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୌମେନ୍ଦ୍ର ପରିଛା ଧନ୍ୟବାଦ ଦେଇଥିଲେ। ଉଦଘାଟନୀ ସମାରୋହରେ ପଞ୍ଚମ ଅନୁଷ୍ଠାନ କର୍ମକର୍ତ୍ତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ସମର୍ପଣ ପତ୍ର ରାଜେନ୍ଦ୍ର ମିଶ୍ର ଓ ମାଠଖାଇ ସମ୍ମାନ ପତ୍ର ଗୋପାଳ ଚନ୍ଦ୍ର ମିଶ୍ର ପାଠ କରିଥିଲେ।
ସଭାପରେ ପଶ୍ଚିମ ବଙ୍ଗ ଶାନ୍ତିପୁର ରଙ୍ଗପୀଠ ଅନୁଷ୍ଠାନର ହିନ୍ଦୀ -ବଙ୍ଗାଳୀ ନାଟକ. ‘ସାତ ଘରେୟା ’ ମଞ୍ଚସ୍ଥ ହୋଇଥିଲା। ଏହାର ଲେଖକ ପ୍ରଫୁଲ୍ଲ ରୟ ଓ ନିର୍ଦେଶକ ବିଶ୍ୱଜିତ ବିସ୍ୱାଶ ଅଟନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ