
ଧର୍ମଶାଳା, ୨୮ଡିସେମ୍ବର (ହି.ସ.)- ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଜିସିସି ଇନ୍ଦୁପୁରକୁ ୪ ଉଇକେଟରେ ହରାଇ ଚଳିତ ବର୍ଷ ସାଇ ଇଲେଭେନ ଭୁବନେଶ୍ୱର ଚମ୍ପିଅନ ଆଖ୍ୟା ଅର୍ଜନ କରିଛି । ଜିସିସି ଇନ୍ଦୁପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ ନିଦ୍ଧାରିତ ୨୫ ଓଭର ମଧ୍ୟରୁ ୨୪ ଓଭରରେ ସମସ୍ତ ଉଇକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗୌରବ ଚୌଧୁରୀ ୨୬ ବଲରେ ୫୨ ଓ ମହମ୍ମଦ କାଶିମସେଫ୍ ୩୬ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସତ୍ୟକାମ୍ ଭରଦ୍ୱାଜ ୪ଓଭର ବୋଲିଂ କରି ୩୫ ରନ ଦେଇ ୩ଗୋଟି ଓ ଅନିକେତ୍ ସିଂ ଲାଭି ୨୯ ରନ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବ୍ ରେ ୧୭୨ରନର ବିଜୟ ଲକ୍ଷ ନେଇ ସାଇ ଇଲେଭେନ ୧୯ଓଭରରେ ୬ ଉଇକେଟ ହରାଇ ବିଜୟ ଲାଭ କରି ଚଳିତ ବର୍ଷ ଚମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଦଳ ପକ୍ଷରୁ ସତ୍ୟକାମ୍ ଭରଦ୍ୱାଜ ସର୍ବାଧିକ ୩୮ ବଲରେ ୬୦ ଓ ଏମ ପ୍ରଶାନ୍ତ ୪୧ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ନୟନ ଗୁପ୍ତା ୫ ଓଭର ବୋଲିଂ କରି ୩୭ ରନ ଦେଇ ୩ଗୋଟି ଉଇକେଟ ନେଇଥିଲେ । ସାଇ ଇଲେଭେନର ସତ୍ୟକାମ ଭରଦ୍ୱାଜଙ୍କ ମ୍ୟାନ ଅଫ ଦ ମ୍ୟାଚ ଓ ଜିସିସି ଇନ୍ଦୁପୁରର ଏମ୍ଡି ଅହମ୍ମଦଙ୍କ ମ୍ୟାନ ଅଫ ଦ ସିରିଜ ଘୋଷିତ କରାଯାଇଥିଲା । ଏହି ଫାଇନାଲ ଖେଳ ପରିଚାଳନାରେ ଶ୍ରଦ୍ଧା ସୁମନ ସାହୁ ଓ ପ୍ରଭାତ ଜେନା ସହଯୋଗ କରିଥିଲେ । ସ୍କୋରରଭାବେ ରୋଶନ ସାହୁ, ସୁମନ ସୁବ୍ରତ ରାଉତ ଓ ଭାଷ୍ୟକାରଭାବେ ସରୋଜ ପଟ୍ଟନାୟକ, ଅରୁଣ ପତି ଓ ସେକ୍ ଇମ୍ରାନ ପରିଚାଳନାରେ ସହଯୋଗ କରିଥିଲେ ।
ପୁରସ୍କାର ବିତରଣୀ ଉତ୍ସବରେ ସତ୍ୟ ସାଇ କ୍ରିକେଟ ଆସୋସିଏସନର ସଭାପତି ପ୍ରୀୟନାଥ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବେ ଝାଲପଡା ସରପଂଚ ଭାରତୀ ମଲ୍ଲିକ, ସମିତିସଭ୍ୟ ନିର୍ମଳ ସାମଲ, କାମାକ୍ଷା ପ୍ରସାଦ ସାହୁ ଓ ଶିକ୍ଷାବିତ୍ ଅଜୟ କୁମାର ସାହୁ ଯୋଗଦେଇ ଚମ୍ପିଅନ ଦଳକୁ ଚମ୍ପିଅନ ଟ୍ରଫି ସହ ନଗଦ ରାଶି ଓ ରନରଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଉତ୍କଳ ଜେନା, ରଂଜିତ ନାୟକ, ଦିଲିପ ଜେନା, ବାଦଲ ରାୟ, ସୁନିଲ ଜେନା, ନିରଞ୍ଜନ ଜେନା, ମାଧବାନନନ୍ଦ ଜେନା, ହେମନ୍ତ ସାହୁ, କବି ଚନ୍ଦ୍ର ସାହୁ, ପ୍ରଭାକର ସାହୁ, ଶୁକଦେବ ବିଶ୍ୱାଳଙ୍କ ସମେତ ସତ୍ୟ ସାଇ ସେବା ସମିତିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ