

ମାଲକାନଗିରି, ୪ ଡିସେମ୍ବର (ହି.ସ.)- ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର ସହକାରେ ପାଳିତ ହେଉଛି । ଏହି ଅବସରରେ ଜିଲାର କାଲିମେଳା ବ୍ଲକସ୍ତରୀୟ ଉତ୍ସବ ଡିସେମ୍ବର ୨ରୁ ଆରମ୍ଭ ହୋଇ ଆଜି ଗୁରୁବାର ଏହାର ଶେଷ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନରେ ହିଁ ମହୋତ୍ସବ ପଡ଼ିଆରେ ୫୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ପାଦ ପଡ଼ିବା ସହ ଭିଡ଼ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ସନ୍ଧ୍ୟାରେ ପପୁଲାର ପ୍ଲେବ୍ୟାକ ସିଙ୍ଗର ସୁଜ୍ଞାନୀ ମହାପାତ୍ରଙ୍କ ମନଲୋଭା ଗୀତ, ଓଲିଉଡର ଆଇଟମ କୁଇନ କୁକିଜ ସ୍ବାଇଁଙ୍କ ଝାକଝମାଳ ନୃତ୍ୟ ଏବଂ ଜନପ୍ରିୟ କମେଡିୟାନ-ୟୁଟ୍ୟୁବର ଅନୁଗୁଳିଆ ବଣ୍ଟିଙ୍କ ହସରେ ଦର୍ଶକ ରାତି ତମାମ ମଜା ଉଠାଇଥିଲେ। ଷ୍ଟେଜ ଆଙ୍କର ପୁପିନ୍ଦର ସିଂ ଙ୍କ ମଜାଦାର ଉପସ୍ଥାପନା ଶୋ’କୁ ଆହୁରି ରଙ୍ଗୀନ କରିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲୋକନୃତ୍ୟ ଦଳ ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ।ଦୁଇ ବର୍ଷ ହେଲା କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ପ୍ରଚେଷ୍ଟାରେ କାଲିମେଳା ଭଳି ଉପାନ୍ତ ଅଞ୍ଚଳରେ ସିନେ ସୁପରଷ୍ଟାର ମାନଙ୍କୁ ଆଣି ଧୂମଧାମରେ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଛି । ତାଙ୍କର ଉଦ୍ୟମ ଏବଂ କିଛି କରି ଦେଖାଇବାର ପ୍ରଚେଷ୍ଟା ଯୋଗୁ ଏକ ସଫଳ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରିଛି । ମହୋତ୍ସବ ଉପଲକ୍ଷେ ବ୍ଳକ କାର୍ଯ୍ୟାଳୟ ଓ ବ୍ଳକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ରାସ୍ତାକୁ ସୁନ୍ଦର ଆଲୋକମାଳାରେ ସଜା ଯାଇଛି। ଏଥିସହ ମେଳା ପଡ଼ିଆରେ ମିନାବଜାର ଓ ବିଭିନ୍ନ ଦୋକାନ ବୁଲି ଲୋକେ ମଜା ଉଠାଉଛନ୍ତି। ମାଲକାନଗିରିର ଆଦିବାସୀ ସଂସ୍କୃତି, ପରମ୍ପରା, ଲୋକକଳା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ‘ମାଲକାନଗିରି ମିତ୍ରତାର ଅଞ୍ଚଳ। ଏଠାକାର ନିରୀହ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ପାଇଁ ସେବା ଯୋଗାଇବା ଆମର ଲକ୍ଷ୍ୟ। ମାଲ୍ୟବନ୍ତର ପ୍ରଚାର-ପ୍ରସାର ବହୁଳ ହୋଇଛି ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣି ପାରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ଏହି ଅବସରରେ ମାଲକାନଗିରି ବିଧାୟକ ନରସିଂଘ ମାଡକାମୀ, ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ। ବିପୁଳ ଭିଡ଼ ଦେଖି ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିଛି। ଆଜି ସନ୍ଧ୍ୟାରେ ବାବୁଶାନଙ୍କ ପ୍ରଦର୍ଶନ ସହ ମହୋତ୍ସବର ରଙ୍ଗିନ ସମାପନ ହେବ।କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ବ୍ଳକ ର ସମସ୍ତ କର୍ମଚାରୀ ଦିନ ରାତି ଲାଗିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ