
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ବ୍ରହ୍ମପୁରର ଶତାୟୁ ଡାକ୍ତର କେ ଲକ୍ଷ୍ମୀବାଇଙ୍କ ପ୍ରଶଂସା
କରିବା ସହ ଦୀର୍ଘାୟୁ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ୧୦୦ ତମ ଜନ୍ମଦିନରେ ନିଜର ତମାମ ଜୀବନର ସଞ୍ଚୟ
ଏମ୍ସକୁ ଦାନ କରିଥିବା ବ୍ରହ୍ମପୁରର ଶତାୟୁ ଡାକ୍ତର କେ ଲକ୍ଷ୍ମୀବାଇଙ୍କ ଅଭିନବ ପଦକ୍ଷେପ
ପ୍ରଶଂସା ସାଉଁଟୁଛି ।ଏମ୍ସ ଭୁବନେଶ୍ୱରଠାରେ
ଗାଇନକଲଜିକାଲ୍ ଅଙ୍କୋଲଜି କୋର୍ସ ଆରମ୍ଭ କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ମହତ ପ୍ରୟାସ
ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ତାଙ୍କର ସମର୍ପିତ ଜୀବନର ଉଦାହରଣ ସାଜିଛି ।କେବଳ ଏହି ପଦକ୍ଷେପ ନୁହେଁ,ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭାବେ ସ୍ୱାସ୍ଥ୍ୟସେବା
ସହିତ ଜଡ଼ିତ ଥିବା ସମୟରୁ ସେ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇଆସିଛନ୍ତି ।ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ତାଙ୍କର
ସେବା ମନୋଭାବ ପାଇଁ ସେ କେବଳ ଆମ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ମହିଳା ସଶକ୍ତିକରଣର ପ୍ରେରଣା ସାଜିଛନ୍ତି ।
ପ୍ରଭାତି ପରିଡା କହିଛନ୍ତି ଯେ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ
ଦ୍ରୌପଦୀ ମୁର୍ମୁ ମଧ୍ୟ ଡାକ୍ତର କେ ଲକ୍ଷ୍ମୀବାଇଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ନାରୀ
ଶିକ୍ଷା ଏବଂ ମହିଳାଙ୍କ କଲ୍ୟାଣ ପାଇଁ ନିରନ୍ତର ସେବା ମନୋଭାବକୁ ପ୍ରଶଂସା କରି, ତାଙ୍କୁ ସେବା ଓ
ସାମାଜିକ ସମର୍ପଣର ଏକ ପ୍ରେରଣାଦାୟକ ଉଦାହରଣ ବୋଲି କହିଛନ୍ତି। ଲକ୍ଷ୍ମୀବାଇଙ୍କ ନିଃସ୍ୱାର୍ଥପର
ଜୀବନ, ମାନବିକତା ପ୍ରତି
ସମର୍ପଣ ଏବଂ ବିଶେଷ କରି ମହିଳାଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ନିଷ୍ଠା ପାଇଁ
ମୁଁ କୋଟି ପ୍ରଣାମ ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହି ମହୀୟସୀ ମହିଳାଙ୍କ
ସୁସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା