
ଜୟପୁର, 4 ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହରକୁ ପୌରସଂସ୍ଥା ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସ୍ଥାନରେ ଓଡିଆ ଓ ଇଂରାଜୀ ଭାଷାରେ ଲିଖିତ ରଙ୍ଗୀନ ଲାଇଟରେ ସୁସଜ୍ଜିତ ସାଇନବୋର୍ଡ ଲାଗିବା ନେଇ ପୌରସଂସ୍ଥା ପକ୍ଷରୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜୟପୁର ସହରର ବିକ୍ରମଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଉପରେ ବିଶ୍ବବିଦ୍ୟାଳୟର ଦୁଇଟି ଭବନକୁ ସଂଯୋଗ କରୁଥିବା ଫୁଟପାଥ ଓଭର ବ୍ରିଜ୍ରର ଉଭୟ ପାର୍ଶ୍ବରେ ଓଡିଆ ଭାଷାରେ ‘ଜୟପୁର-ବିଜୟର ସହର’ ଓ ଇଂରାଜୀ ଭାଷାରେ ‘ଜୟପୁର- ଦ ସିଟି ଅଫ ଭିକ୍ଟରି ’ ଲେଖା ସାଇନବୋର୍ଡ ଆଜି ଲଗାଯାଇଛି । ଏହିପରି ରାତିରେ ଏହା ସୁନ୍ଦର ରଙ୍ଗୀନ ଲାଇଟ ଦ୍ବାରା ଦୃଶ୍ୟମାନ ହେବ । ପ୍ରାୟ ସାଢେ ୨ ଲକ୍ଷ ଟଙ୍କାର ଟେଣ୍ଡର ମାଧ୍ୟମରେ ଏହା ଠିକାସଂସ୍ଥା ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ସହରର ମୁଖ୍ୟ ତଥା କୁମାର ବିଦ୍ୟାଧର ସିଂ ଦେଓ ଦୈନିକ ବଜାରରେ ପୂର୍ବପଟେ ରହିଥିବା ଦୁଇଟି, ଉତ୍ତର ଏବଂ ପଶ୍ଚିମରେ ଗୋଟିଏ ଲେଖାଏଁ ପାଇଁ ୨ ଲକ୍ଷ ଟଙ୍କାର ଏବଂ ଦକ୍ଷିଣ ଦିଗରେ ରହିଥିବା ମୁଖ୍ୟ ଫାଟକ ନିମନ୍ତେ ୫ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟ କରଣ କରାଯିବ । ଏଥିନେଇ ଗାଈ ପ୍ରବେଶ ନ କରିବା ଫାଟକ ଏବଂ ସାଇନବୋର୍ଡ ଏବଂ ଅନ୍ୟାନ୍ୟ ପ୍ରବେଶ ପଥର ସୌର୍ନ୍ଦର୍ଯ୍ୟ କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟେଣ୍ଡର ଶେଷ ହୋଇଯାଇଛି । ଅତିଶିଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ପୌର ଯନ୍ତ୍ରୀ ଅଜୟ କୁମାର ଜାନୀ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି