
ପୁରୀ, ୪ ଡିସେମ୍ବର (ହି.ସ.)- ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ଗୁରୁବାର ମଧ୍ୟାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରୁ ପଦଯାତ୍ରାରେ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ମଧ୍ୟରେ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ନିଯୁକ୍ତି, ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସୁବିଧା ଯୋଗାଇବା, ପିଜି, ପିଏଚଡିରେ ଅଧିକ ସିଟ ଖୋଲିବା, ଆୟୁଷ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଟ ପ୍ରଦାନ, ଆୟୁର୍ବେଦ ମହାବିଦ୍ୟାଳୟରେ ନୂଆ ପରିଚଳନା ପରିଷଦ ଗଠନ ପାଇଁ ଦାବି କରିଛନ୍ତି । ଆୟୁଷ ଶିକ୍ଷାର ଅଗ୍ରଗତି ଓ ବିଶେଷଜ୍ଞ ବ୍ଯକ୍ତିଙ୍କୁ ନିଯୁକ୍ତି, ରାଜ୍ଯରେ ନିରାମୟ ଓ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାରେ ଛାତ୍ର ମାନଙ୍କୁ ସାମିଲ କରିବା ପାଇଁ ଦାବି ଜଣାଇଛନ୍ତି । ରାଜ୍ଯରେ ଅଲଗା ଆୟୁଷ ବିଭାଗ ଖୋଲିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ରରେ ଲେଖିଛନ୍ତି ।
ଏହି ପଦଯାତ୍ରା ଓ ଦାବିପତ୍ର ଦେବା ସମୟରେ ସୌମ୍ଯଜିତ ପାତ୍ର, ରିତିକ୍ ରୋଶନ ଜେନା, ଶୁଭଲକ୍ଷ୍ମୀ ଜୟସିଂହ, ସୌମ୍ଯ ସୁଲଗ୍ନା, ଅଭିଷେକ ସାହୁ, ଗାର୍ଗୀ ରାଉତ, ସୌମ୍ଯରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ୨ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ