
ଧର୍ମଶାଳା, ୪ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନରେ ଅଘଟଣ । କେଲୁଅ ନଦୀରୁ ଗ୍ରାମବାସୀମାନେ ଏକ ମୃତଦେହକୁ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ବଡ କାଏମା ପଂଚାୟତ ୬ ନଂ ୱାଡ ଲକ୍ଷ୍ମୀସାହି ଗ୍ରାମର ରଂଜନ କୁମାର ଗାହାଣ ବୋଲି ଜଣାପଡିଛି । ରଂଜନଙ୍କ ଆନୁମାନିକ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ରଂଜନ ଘର ନିକଟସ୍ଥ କେଲୁଅ ନଦୀକୁ ଗାଧୋଇବାକୁ ଆସିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଓ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରି ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏନେଇ ଧର୍ମଶାଳା ଥାନାକୁ ଖବର ଦିଆଯାଇଥିଲା । ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ