
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ରାଜ୍ୟ ସରକାର ସୁବ୍ୟବସ୍ଥିତ ଢଙ୍ଗରେ ମଣ୍ଡି ପରିଚାଳନା କରି ଚାଷୀଙ୍କ ସମସ୍ତ ବଳକା ଧାନ କ୍ରୟ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲାଯାଇଥିବା ବେଳେ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଆବଶ୍ୟକ ଅନୁଯାୟୀ ମଣ୍ଡି ଖୋଲା ଯାଉନାହିଁ। ଇତି ମଧ୍ୟରେ ମଣ୍ଡି ଖୋଲାଯାଇ ନ ଥିବା ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ୪୦ ପ୍ରତିଶତ ଅମଳ ଧାନ ଶାଗ ମାଛ ମୂଲ୍ୟରେ ଚାଷୀ ବିକ୍ରି କରି ସାରିଲେଣି। ଅନେକ ଅସାଧୁ ମିଲରମାନେ ମଧ୍ୟ ଏହି ଧାନକୁ ଅଣ୍ଡର ରେଟରେ କିଣି ମହଜୁଦ୍ କରୁଥିବାର ନଜିର ରହୁଛି। ଯେଉଁଠି ମଣ୍ଡି ଖୋଲା ଯାଉଛି, ସେଠାରେ ନିର୍ଦ୍ଧାରିତ ସମୟରେ ଚାଷୀ ପାଖକୁ ଟୋକନ ପହଞ୍ଚୁନାହିଁ ବୋଲି ଗୁରୁବାର କିଷାନ କଂଗ୍ରେସ ପକ୍ଷରୁ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଓଡ଼ିଶାର ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ୮ଦଫା ସମ୍ବଳୀତ ଏକ ସ୍ମାରକପତ୍ର ପଠାଇଛନ୍ତି।
ସେ କହିଛନ୍ତି ସରକାରଙ୍କ କେତେକ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ଅନେକ ଯୋଗ୍ୟ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି। ଧାନର ମାନ ନିର୍ଦ୍ଧାରଣ ପାଇଁ ସବୁ ମଣ୍ଡିରେ ଆନାଲାଇଜର ମେସିନ୍ ନ ଥିବା ହେତୁ ମିଲର ମନମାନୀରେ ଧାନ କଟନି ଛଟନୀ କରାଯାଉଛି। ଧାନ କ୍ରୟର ନିର୍ଦ୍ଧାରିତ ସମୟ ପୂର୍ବରୁ ସରକାର ମିଲରମାନଙ୍କ ସହିତ ଚୁକ୍ତି ନ କରିଥିବା ହେତୁ ମିଲରମାନଙ୍କ ଇଚ୍ଛାରେ ମଣ୍ଡି ଖୋଲାଯାଉଛି। ଧାନ ସଂଗ୍ରହ ପାଇଁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଗୋଦାମ ଘର ନାହିଁ ଏବଂ ଏଫସିଆଇ ଗତବର୍ଷର ୭ଲକ୍ଷ ମେଟ୍ରିକ
ଟନ୍ ଚାଉଳ ଉଠାଣ ନ କରୁଥିବାରୁ ଏପରି ସଙ୍ଗିନ ପରିସ୍ଥିତି ସୃଷ୍ଟି ହୋଇଛି। ସମବାୟ ସମିତିଗୁଡ଼ିକରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ ନାହାନ୍ତି। ରାଜ୍ୟ ସରକାରଙ୍କର ଧାନ କ୍ୱିଂଟାଲ ପ୍ରତି ୮ଶହ ଟଙ୍କା ଇନପୁଟ୍ ସବସିଡି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଏମଏସପି ମୂଲ୍ୟ ରେ କିଣାଯାଉ ନାହିଁ।
ଏହି ଦୂରାବସ୍ଥାର ସମାଧାନ ପାଇଁ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲି ଚାଷୀର ସମସ୍ତ ବଳକା ଧାନକୁ ପ୍ରତି କ୍ୱିଌକ୍ଷଗ୍ଧ;ାଲ ପିଚ୍ଛା ୩୧୬୯ ଟଙ୍କାରେ କ୍ରୟ, ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ଟୋକନ ଇସ୍ୟୁ, ଅଖା ଓ ପରିବହନ ମୂଲ୍ୟ ପ୍ରଦାନ, ବାଦ୍ ପଡ଼ିଥିବା ଯୋଗ୍ୟ ଚାଷୀଙ୍କୁ ପୁନଃ ପଞ୍ଜିକରଣର ସୁବିଧା, ସୁବ୍ୟବସ୍ଥିତ ଢଙ୍ଗରେ ମଣ୍ଡି ସୁପରିଚାଳନା ଓ ମଣ୍ଡିକୁ ଦଲାଲ ମୁକ୍ତ, ପ୍ରତି ପଞ୍ଚାୟତସ୍ତରରେ ମଣ୍ଡି ନିରୀକ୍ଷଣ ପାଇଁ ସ୍କ୍ୱାର୍ଡ ଗଠନ, ପ୍ରତି ମଣ୍ଡିରେ ଧାନ ମାପକ ଯନ୍ତ୍ର(ଆନାଲାଇଜର ମେସିନ୍) ରଖାଯାଇ ସମ୍ପୂର୍ଣ୍ଣ କଟନି ଛଟନି ବନ୍ଦ, ଏକର ପିଚ୍ଛା ଧାନ କ୍ରୟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ଚାଷୀ ଚାହୁଁଥିବା ତା’ର ସମସ୍ତ ବଳକା ଧାନକୁ କ୍ରୟ, ପ୍ରତି ପାକସ୍ ଓ ଲ୍ୟାମ୍ପ୍ସରେ ଆବଶ୍ୟକ ସଂଖ୍ୟାକ କର୍ମଚାରୀ ନିଯୁକ୍ତି, ମିଲର ଓ କର୍ମଚାରୀମାନଙ୍କ ମଧ୍ୟରେ ଥିବା ଅସାଧୁ କାରବାରାକୁ ଦୃଢ଼ହସ୍ତରେ ଦମନ କରିବା ପାଇଁ କଂଗ୍ରେସ ଦାବି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା