

ପୁରୀ, ୪ ଡିସେମ୍ବର (ହି.ସ.)- ଅପରେସନ ଚକ୍ର ଅଭିଯାନରେ ପୁରୀ ପୋଲିସକୁ ସଫଳତା ମିଳିଛି । ସେପ୍ଟେମ୍ବର ୨୭ ତାରିଖରେ ପୁରୀ ସଦରଥାନା ଅନ୍ତର୍ଗତ ନୀଳଚକ୍ର ନଗରରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ୨ଶହ ଗ୍ରାମ ବ୍ରାଉନସୁଗାର ପୋଲିସ ଜବତ କରି ସୁକାନ୍ତି ପଣ୍ଡାକୁ ଗିରଫ କରିଥିଲେ । ପରେ ତଦନ୍ତ କରିବା ପରେ ଜଣାପଡିଲା ସରକାରୀ ଜାଗା ଉପରେ ସୁକାନ୍ତି ୪ ବଖରା ଘର କରିଥିଲା, ଯାହା ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିଲା । ଯାହାଫଳରେ ସ୍ଥାନୀୟ ଯୁବକ ମାନେ ନିଶାସକ୍ତ ହେବା ସହିତ ଅଞ୍ଚଳରେ ମାରପିଟ, ଚୋରି, ଛିନତାଇ ଓ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା । ଅଞ୍ଚଳବାସୀ ମଧ୍ୟ ଏଥିରେ ଅତିଷ୍ଠ ହୋଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁରୀର ଯୁବ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ରବିନାରାୟଣ ଭଞ୍ଜ, ସଦରଥାନା ଆଇଆଇସି ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବୁଲଡୋଜରରେ ଦ୍ଵାରା ଘରଟିକୁ ସମ୍ପୂର୍ଣ୍ଣ ଭଙ୍ଗା ଯାଇଥିଲା ।
ଏ ସମ୍ପର୍କରେ ପୁରୀ ଏସପି ଶ୍ରୀ ସିଂ କୁହନ୍ତି, ନିଶା ବେପାରୀଙ୍କୁ ଦୃଢ ହସ୍ତରେ ଦମନ କରାଯିବ । ନିଶା ବେପାରୀ ଛୋଟ ହେଉ ବା ବଡ ହେଉ କାହାରିକୁ ଛଡା ଯିବ ନାହିଁ । ସୁକାନ୍ତିର ଜ୍ଵାଇଁ ମଧ୍ୟ ଏହି କାରବାରରେ ଜଡିତ ହୋଇ ୧୭ଟି ମାମଲାରେ ଜେଲ ଯାଇଛି । ପରିବାରର ଅନ୍ଯ ଲୋକମାନେ ଏହି କାରବାରରେ ସମ୍ପୃକ୍ତି ରହିଥିଲେ । ପୁରୀ ସହରକୁ ନିଶାମୁକ୍ତ କରିବା ପାଇଁ ଅପରେସନ ଚକ୍ର ବୁଲୁଛି । ଏହି ଘଟଣା ପରେ ନିଶା ବେପାରୀଙ୍କ ମଧ୍ୟରେ ଛନକା ପସିଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାର ପୋଲିସ ନିଶା ବେପାରୀଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଯୁବ ଏସପିଙ୍କ ଜବରଦସ୍ତ କାର୍ଯ୍ଯକଳାପ ଦେଖି ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ