
ଧର୍ମଶାଳା, ୪ ଡିସେମ୍ବର (ହି.ସ.)- ଯାଜପୁର ଜିଲାରେ ବିଭିନ୍ନ ତହସିଲ ଅଂଚଳରୁ ଭିନ୍ନ ଭିନ୍ନ ନଦୀରୁ ଦିନକୁ ଦିନ ଚୋରାରେ ବେଆଇନ ବାଲି ଚାଲାଣ ହେଉଛି। ମାଫିଆମାନେ ନଦୀମାନଙ୍କରେ ଜେସିବି ଲଗାଇ ବିଭିନ୍ନ ଟ୍ରାକ୍ଟର ଓ ହାଇୱା ମାଧ୍ୟମରେ ଜିଲା ତଥା ବାହାର ରାଜ୍ୟକୁ ବେଆଇନଭାବେ ବାଲି ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ସେପଟେ ସରକାର ବଦନାମ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଜନକ ପଂଚାୟତ ବଡବାଲିକୁଦା କେଲୁଅ ନଦୀରୁ ବେଆଇନ ଭାବେ ନଦୀ ବନ୍ଧକୁ କାଟି ରାସ୍ତା କରାଯାଇ ବାଲି ଉତୋଳନ କରାଯାଉଥିବା ସ୍ଥାନକୁ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ଦର୍ପଣ ତହସିଲଦାର ମାନସ ରଂଜନ ତ୍ରିପାଠୀ, ଜିଲା ବିଭାଗ ଅଧିକାରୀ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ବାଲିଚନ୍ଦ୍ରପୁର ପୁଲିସ ଉପସ୍ଥିତ ରହିଥିଲେ । ଏହି ଚଢଉ ହେବା ଭୟରେ ବାଲି ମାଫିଆମାନେ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ