ବଲାଙ୍ଗିର ରେଲ ଜଙ୍ଗସନରେ ଏଡିଆରଏମ୍ ଅଫିସ ଖୋଲିବାକୁ ଦାବି
ବଲାଙ୍ଗିର, 5 ଡିସେମ୍ବର (ହି.ସ.) ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ମାଟିର ବିଶିଷ୍ଟ ସଂଗୀତ ସାଧକ ହ୍ୟୁମେନ ସାଗରଙ୍କ ଅକାଳ ବିୟୋଗରେ
ବଲାଙ୍ଗିର ରେଲ ଜଙ୍ଗସନ ରେ ଏଡିଆରଏମ୍ ଅଫିସ ଖୋଲାଯାଉ


ବଲାଙ୍ଗିର, 5 ଡିସେମ୍ବର (ହି.ସ.)

ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ମାଟିର ବିଶିଷ୍ଟ ସଂଗୀତ ସାଧକ ହ୍ୟୁମେନ ସାଗରଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଉପ-ସଭାପତି ପ୍ରଶନ୍ନ କୁମାର ମିଶ୍ର ଜିଲ୍ଲାର ରେଳ ଉପଭୋକ୍ତା ତଥା ସାଧାରଣ ଜନତା ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା ଆରମ୍ଭ କରିଥିଲେ । ତଦନୁଯାୟୀ କେତୋଟି ପ୍ରସ୍ତାବ ସଭାରେ ପାରିତ ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେଉଥିବାରୁ ତଥା ପ୍ରସ୍ତାବିତ ବଲାଙ୍ଗିର ନୂଆଁପଡା ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଏନ୍‌ଏସ୍‌ଜି-୩ ସ୍ତରକୁ ଉନ୍ନିତ ବଲାଙ୍ଗିର ରେଲ ଜଙ୍ଗସନର ଗୁରୁତ୍ୱ ବଢିଯାଇଛି । ପୁନଶ୍ଚ ଗୋପାଳପୁର, ବିଲାସପୁର ମାଲ ପରିବହନ ପଥରେ ଏହା ପ୍ରମୁଖ ଜଙ୍ଗସନ ହୋଇଥିବାରୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏଠାରେ ଏଡିଆରଏମ୍ ଅଫିସ ଖୋଲାଯାଉ, ବଲାଙ୍ଗିର ଜଙ୍ଗସନ ଦେଇ ମାଲବାହୀ ଟ୍ରେନ ତଥା ଯାତ୍ରୀବାହୀ ଟ୍ରେନ ଗୁଡିକର ଯାତାୟତ ଆଶାତୀତ ଭାବରେ ବୃଦ୍ଧି ପାଉଥିବାରୁ ରେଳ ଉପଭୋକ୍ତାଙ୍କ ସୁବିଧା ଦୃଷ୍ଟିରୁ ଏଠାରେ ପିଆଇଟି ଲାଇନ ର ବ୍ୟବସ୍ଥା କରାଯାଉ, ବଲାଙ୍ଗିର ଆଟଗାଁ ରାସ୍ତାରେ ଦୁଇଟି ଅଣ୍ଡରବ୍ରିଜ ତଥା ଲୋଇସିଂହା ରୋଡରେ ଥିବା ଗୋଟିଏ ଅଣଓସାରିଆ ଅଣ୍ଡରବ୍ରିଜ ସର୍ବଦା ଅନ୍ଧାରୁଆ ରହୁଥିବାରୁ ଏବଂ ଖାଲଢିପପୂର୍ଣ୍ଣ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାତାୟତର ସୁବିଧା ଦୃଷ୍ଟିରୁ ଏହି ଦୁଇଟି ରାସ୍ତାରେ ରେଲୱେ ଓଭରବ୍ରିଜର ନିର୍ମାଣ କରାଯାଉ, ମାଲବାହୀ ଟ୍ରେନ ତଥା ଯାତ୍ରୀବାହୀ ଟ୍ରେନ ଗୁଡିକର ଯାତାୟତ କୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସମ୍ବଲପୁର ରେଲୱେ ଷ୍ଟେସନ ଠାରୁ ଟିଟିଲାଗଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ତୃତୀୟ ରେଲ ଲାଇନ ର ବ୍ୟବସ୍ଥା କରାଯାଉ । ଉପରୋକ୍ତ ସମସ୍ତ ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କ ଠାରେ ଲିଖିତ ଦାବି ଉପସ୍ଥାପନ କରିବା ପାଇଁ ସଭାପତିଙ୍କୁ ଦାୟିତ୍ୱ ଦିଆଗଲା । ସଭ୍ୟ ଛବିଲାଲ ବେହେରା, କୃଷ୍ଣଚନ୍ଦ୍ର ମହାକୁର, ହରେକୃୃଷ୍ଣ ପଟେଲ ତଥା ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂପାଦକ ଗୋବିନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ .

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande