
ଭୁବନେଶ୍ୱର, 05 ଡିସେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସତ୍ୱେ ସେଠାରେ ଆବଶ୍ୟକୀୟ ଛୋଟ ଛୋଟ ଅପରେସନ ଭଳି ସେବା ମଧ୍ୟ ଲୋକ ମାନଙ୍କୁ ମିଳି ପାରୁ ନାହିଁ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ଉମାଚରଣ ମଲ୍ଲିକ ।
ଆଜି ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଫୁଲବାଣୀ ଠାରେ ମେଡିକାଲ କଲେଜ ସ୍ଥାପିତ ହେବା ଓ ସେଠାରେ ଏମବିବିଏସ ପାଠ ପଢା ଆରମ୍ଭ କରିଥିବାରୁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି । ହେଲେ ସାଧାରଣ ହାତ ଗୋଡ ଭାଙ୍ଗିଲେ ମଧ୍ୟ ଚିକିତ୍ସା ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରେ ହୋଇ ପାରୁ ନାହିଁ । ରୋଗୀ ମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ରେଫର କରି ଦିଆଯାଉଛି । ଫୁଲବାଣୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟାଳୟ ହସପିଟାଲରେ ଯେଭଳି ସାଧାରଣ ଚିକିତ୍ସା ସେବା ଗୁଡିକ ମିଳି ପାରିବ ସେ ନେଇ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ