
ମାଲକାନଗିରି, ୫ ଡିସେମ୍ବର (ହି.ସ.)- କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଗ୍ରାମପଞ୍ଚାୟତର ସିଆରସିସି ଯଚିନ୍ଦ୍ର ସ୍ୱାଇଁ ୪ ତାରିଖ ଦିନ ଚିତ୍ରକୋଣ୍ଡା ଠାରୁ ବାଲିମେଳା ଅଭିମୁଖେ ବାଇକ ଯୋଗେ ଆସୁଥିବା ସମୟରେ ମନ୍ତ୍ରୀପୁଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ l ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ତାଙ୍କୁ ତୁରନ୍ତ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ତାଙ୍କ ସ୍ୱାସ୍ଥ୍ୟ।ବସ୍ଥା ଗୁରୁତର ହୋଇ ପଡିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ଏମ୍ସକୁ ନେବା ପାଇଁ ସ୍ଥିର କରାଗଲା l ଏହାପରେ ଭୁବନେଶ୍ୱର ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ଖୁବ ମେଳାପୀ ଏବଂ ସ୍ନେହୀ ମଣିଷଟିଏ ଥିଲେ l ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ସେ ସଦା ସର୍ବଦା ଚେଷ୍ଟିତ ଥିଲେ l ବ୍ୟାସକବି ସାହିତ୍ୟ ସଂସଦ, ଗୋଡ଼ିଶୁଳ, ନୀଳଗିରି, ବାଲେଶ୍ୱର ଓ ଗୁରୁପ୍ରିୟା ସାହିତ୍ୟ ସଂସଦ, ବାଲିମେଳାର ପ୍ରତିଷ୍ଠାତା ଥିଲେ l ସେ କେବଳ ଜଣେ ଆଦର୍ଶ ଶିକ୍ଷକ ନଥିଲେ ଜଣେ କବି, ସାହିତ୍ୟିକ, ଗାଳ୍ପିକ, ନାଟ୍ୟକାର ଏବଂ ମଞ୍ଚ ପରିଚାଳକ ଥିଲେ l ତାଙ୍କ ଲେଖନୀରୁ ସୃଷ୍ଟ ବୈରାଗୀ, ପ୍ରତିଭା ଓ ବିଶ୍ଵବିଜୟିନୀ କବିତା ସଂକଳନ ପାଠକ ମହଲରେ ବେଶ ଆଦୃତ ଲାଭ କରିଥିଲା l ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ବ୍ୟାସଜ୍ୟୋତି ଏବଂ ଶିଶୁ ମାନଙ୍କ ପାଇଁ ବ୍ୟାସ କଳିକା ନାମକ ଦୁଇଟି ପତ୍ରିକା ପ୍ରକାଶିତ ହେଉଥିଲା l ତାଙ୍କ ବିୟୋଗରେ ସାରା ମାଲକାନଗିରି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ, କବି କବୟିତ୍ରୀ, ସାମ୍ବାଦିକ ବନ୍ଧୁ, ସମାଜସେବୀ ଓ ବୁଦ୍ଧିଜୀବି ବିଶେଷ କରି ସେ ବାଲିମେଳା ସହରରେ ରହୁଥିବାରୁ ବାଲିମେଳା ସହରରେ ଶୋକର ଛାୟା ଖେଳି ଯାଇଛି l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ