
ମୁଖୀଗୁଡା, ୫ ଡିସେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ନିକଟ ଚଞ୍ଚରାପଡା କେନାଲ ଗେଟ ନିକଟ ଜମିର ଆମ୍ବ ଗଛରେ ଝୁଲୁଥିବା ଜୟପାଟଣା ଥାନା ଅନ୍ତର୍ଗତ ଚଞ୍ଚରାପଡାର ଗିରିଧାରୀ କଣ୍ଟା(୨୦)ଙ୍କ ମୃତଦେହକୁ ଜୟପାଟଣା ପୁଲିସ ଉଦ୍ଧାର କରିଛି। ଗିରିଧାରୀ ବାପୁ ଆଶ୍ରମ ନିକଟ ସିମେଣ୍ଟ ଦୋକାନରେ କାମ କରୁଥିଲେ । ଅପରାହ୍ନ ୪ଟାରେ ଫୁଟବଲ ଖେଳ ଦେଖିବାକୁଯିବି କହି ଛୁଟି ମାଗି ଓଏଭି ନିକଟରେ ହେଉଥିବା ଫୁଟବଲ ଖେଳ ଦେଖିବା ପରେ ଖୁଡ଼ଖୁଡି ଖେଳିଥିଲେ । ଖୁଡଖୁଡି ଖେଳି ସେ ବହୁ ଟଙ୍କା ପାଇଥିଲେ । ରାତିରେ ସେ ଘରକୁ ନଫେରିବାରୁ ବାପା ଖୋଜାଖୋଜି କରିବା ପରେ ପାଇନଥିଲେ । ହେଲେ ତାଙ୍କ ମୋବାଇଲେ ସୁଇଚଅଫ ଥିଲା । ଆଜି ସକାଳେ ଚଞ୍ଚରାପଡା କେନାଲ ଗେଟ ନିକଟ ଜମିର ଆମ୍ବ ଗଛ ଡାଳରେ ଏକ ଗାମୁଛାରେ ଗିରିଧାରୀର ମୃତଦେହ ଝୁଲୁନ୍ତା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପାରିପାର୍ଶ୍ବିକ ସ୍ଥିତି ଦେଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ସନ୍ଧାନୀ କୁକୁର ନଥିବାରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ପରେ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଗିରିଧାରୀ ଗତ ୧୫ ଦିନ ତଳେ ଏକ ମୋବାଇଲ ଫୋନ କିଣି ଥିଲେ ତାହା ତାଙ୍କ ପାଖରେ ନଥିବା ବେଳେ ପକେଟରୁ ଏଟିଏମ୍ କାର୍ଡ ପୋଲିସ ଜବତ କରିଛି । ଗିରିଧାରୀକୁ ହତ୍ୟା କରାଯାଇଥିବା ପରିବାର କୋକେ ଅଭିଯୋଗ ଆଣିଛନ୍ତି। ତେବେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର