
କେନ୍ଦୁଝର, 5 ଡିସେମ୍ବର (ହି.ସ.)
ଏକ ବର୍ଣ୍ଣାଢ୍ୟ ପରିବେଶ ଏବଂ ଏବଂ ସୁଲଳିତ ବ୍ୟାଣ୍ଡ ଧ୍ୱନି, ସମବେତ କ୍ରୀଡ଼ାବିତଙ୍କ ମାର୍ଚ୍ଚପାଷ୍ଟ ମଧ୍ୟରେ କେନ୍ଦୁଝର ଜିଲ୍ଲାର ବାର୍ଷିକ ଦୌଡ଼ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଶଙ୍କରପୁର ଧରଣୀଧର ସ୍ଫୋର୍ଟ୍ସ କମ୍ପ୍ଲେସ ଠାରେ ସିନ୍ଥେଟିକ ଟ୍ରାକରେ ଆଜି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଯୁଗ୍ମ ସମ୍ପାଦକ ରବିନ୍ଦ୍ର ପାଢୀ ମଞ୍ଚାସୀନ ଅତିଥି ବୃନ୍ଦଙ୍କୁ ସ୍ଵାଗତ କରିଥିଲେ। କ୍ରୀଡା ସଂସ୍ଥାର ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଞ୍ଚ ପରିଚାଳିତ ପରିଚାଳିତ ହୋଇଥିବା ବେଳେ ଶ୍ରୀ ପଟ୍ଟନାୟକ ସମବେତ କ୍ରୀଡ଼ାବିତ ମାନଙ୍କୁ ରାଜ୍ୟ ସ୍ତରୀୟ ଖେଳରେ ଅଂଶ ଗ୍ରହଣ କରି କେନ୍ଦୁଝର ଜିଲ୍ଲା ର ସୁନାମ ଅର୍ଜନ କରିବାପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥିଭାବେ ପୌରଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇ କ୍ରୀଡାବିତମାନଙ୍କୁ ଉପଦେଶ ଛଳରେ କହିଲେ ଯେଉଁମାନେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ନାହାଁନ୍ତି ପରବର୍ତ୍ତୀ ସମୟରେ ସଫଳ ହେବାପାଇଁ ଉଦ୍ୟମ ଜାରି ରଖିବା ଉଚିତ। ଅସଫଳତା ହିଁ ସଫଳତାର ଚାବିକାଠି ବୋଲି ସେ ସୂଚନା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଏଚ ଡି ଧନରାଜ କ୍ରୀଡାବିତମାନଙ୍କୁ ଖେଳ ଖେଳିବା ଦ୍ଵାରା ଶାରିରୀକ ମାନସିକ ଓ ନୈତିକତା କ୍ଷେତ୍ରରେ ଅଭିବୃଦ୍ଧି ଘଟିଥାଏ ବୋଲି କହିବା ସହ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ମେଡାଲ ଜିତି ଜିଲ୍ଲାର ସୁନାମ ଅକ୍ଷୁର୍ଣ ରଖିବାକୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗରେ କୁଳମଣି ଜେନା ଏବଂ ମହିଳା ବିଭାଗରେ ଲକ୍ଷ୍ମୀପ୍ରିୟା ବାରିକ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ଦ୍ରୁତତ୍ତମ ଧାବକ ଏବଂ ଧାବିକା ଭାବେ ବିବେଚିତ ହୋଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ ମଲ୍ଲିକ, କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର କ୍ରୀଡା ସଂସ୍କାର କାଉନସିଲ ସଦସ୍ୟ ରାଜ କିଶୋର ମିଶ୍ର, ସନାତନ ବେହେରା, ସଦସ୍ୟ ସନ୍ଦିପ ପଟନାୟକ ଓ ଜିଲ୍ଲାର କ୍ରୀଡା ଶିକ୍ଷକ ଉପସ୍ଥିତ ହୋଇ ଉକ୍ତ କ୍ରୀଡାକୁ ସୁପରିଚାଳନା କରିଥିଲେ । ସର୍ବଶେଷରେ କ୍ରୀଡା ସଂସ୍ଥାର କୋଷାଧକ୍ଷ ସରୋଜ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA