
ନୂଆପଡା, ୫ ଡିସେମ୍ବର (ହି.ସ.)- ରାସ୍ତା କଡ଼ରେ ପଡ଼ି ରହିଛନ୍ତି ଜଣେ ଅସହାୟ ମହିଳା। ରହିବା ପାଇଁ ତାଙ୍କର ଘର ନଥିବାରୁ ଖୋଲା ଆକାଶ ତଳେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବଜାରପଡ଼ାର ପାନପତ୍ରୀ କଟା, ବୟସ ୬୨ ବର୍ଷ । ସାତ ମାସ ତଳେ ଆବାସ ଯୋଜନାରେ ଘର ପାଇଥିବାରୁ ସ୍ଥାନୀୟ ପ୍ରଶାସନ ତାଙ୍କ ଘର ଭାଙ୍ଗି ଦେଇଥିଲେ ଓ ନୂଆ ଘର କରିବେ ବୋଲି କହିଥିଲେ। ଘର ଭଙ୍ଗା ଯିବା ପରେ ସ୍ଵାମୀ ସିଧୁ କଟାଙ୍କ ସହ ବାହାରେ ରହି ଆସୁଥିଲେ। କିନ୍ତୁ, ତିନି ମାସ ତଳେ ସ୍ବାମୀଙ୍କ ଦେହାନ୍ତ ପରେ ସେ ଅସହାୟ ହୋଇ ପଡିଛନ୍ତି। ରହିବାକୁ ସୁବିଧା ନ ହେବାରୁ ଖଡ଼ିଆଳ ସାହୁପଡ଼ାରେ ରହି ଆସୁଛନ୍ତି। ତାଙ୍କୁ ମାସିକ ମିଳୁଥିବା ବାର ଶହ ଟଙ୍କା ଭତ୍ତାରେ ଔଷଧ କିଣି ଖାଆନ୍ତି। ପଡ଼ି କାର୍ଡରେ ମିଳୁଥିବା ୩୫ କିଲୋଗ୍ରାମ ଚାଉଳ ମଧ୍ୟ ବିକି ଦେଇ ଅନ୍ୟାନ୍ୟ ଖର୍ଚ୍ଚ କରନ୍ତି ଓ ଅନ୍ୟ ମାନଙ୍କୁ ମାଗି ଯାଚି ଖାଆନ୍ତି। ରାତିରେ ଶୀତ କାକରରେ ରାସ୍ତା କଡରେ ଶୋଇ ଯାଆନ୍ତି। ସ୍ଥାନୀୟ ଲୋକେ ଏନ୍ ଏ ସି କର୍ତ୍ତୃପଷଙ୍କୁ ବାରମ୍ବାର ଅବଗତ କରାଇଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ ହୋଇଛି।
ଏନେଇ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାଧିନ କେତନ ମହାରଣାଙ୍କୁ ପଚାରିବାରୁ ଅତିଶିଘ୍ର ତାଙ୍କ ଘର ସଂପୂର୍ଣ୍ଣ କରାଯିବ ଓ ତାଙ୍କୁ ଆଜି ଠାରୁ ରାତ୍ରିକାଳୀନ ଆଶ୍ରୟ କେନ୍ଦ୍ରରେ ରଖାଯିବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ