

ବଲାଙ୍ଗିର, ୫ ଡିସେମ୍ବର (ହି.ସ.)- ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୋଇସିଂହା ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଆଜି ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନକ୍ରୟ ମଣ୍ଡି ଉଦଘାଟିତ ହୋଇଛି । ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ପଞ୍ଚାୟତ ସମିତି, ଅଧ୍ୟକ୍ଷ, ଜତିନ୍ଦ୍ର ପଟେଲ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଉପ-ନିବନ୍ଧକ, ସମବାୟ ସମିତି ସମୂହ, ବଲାଙ୍ଗିର ପ୍ରମୋଦ କୁମାର ବରିହା, ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅକ୍ଷୟ କୁମାର ପାନିଉଡୁ ମଞ୍ଚାସୀନ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ୧୫୮ଟି ପ୍ୟାକ୍ସ ଓ ୧୪ ଟି ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୮୦ଟି ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି । ଜିଲ୍ଲାର ୧,୦୫,୦୩୧ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି । ଚଳିତ ବର୍ଷ ଏଫ୍.ଏ.କ୍ୟୁ. ମାନର ସାଧାରଣ ଧାନ କ୍ଵିଣ୍ଟାଲ ପ୍ରତି ଟ.୨୩୬୯/- ଥିବାବେଳେ ଗ୍ରେଡ ଏ ଧାନର କ୍ଵିଣ୍ଟାଲ ପିଛା ଟ.୨୩୮୯/- ରହିଛି, ଏହା ସହିତ ଓଡିଶା ସରକାର କ୍ଵିଣ୍ଟାଲ ପିଛା ଟ.୭୩୧/- ଅତିରିକ୍ତ ସହାୟତା ରାଶି ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୨୪,୬୦,୦୦୦ କ୍ଵିଣ୍ଟାଲ ଧାନ କ୍ରୟ ନିମନ୍ତେ ଟାର୍ଗେଟ ଦିଆଯାଇଛି । ଧାନ ବିକ୍ରୟରେ ଯଦି କୌଣସି ଚାଷୀଙ୍କର କିଛି ସମସ୍ୟା ଦେଖାଦିଏ ତେବେ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତି ସମୂହର ଉପ-ନିବନ୍ଧକ କିମ୍ବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର, ପିତବାସ ମଲ୍ଲିକ, ଲୋଇସିଂହା ତହସିଲଦାର, ଟୁକୁନୁ ପୁଟା, ବଲାଙ୍ଗିର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ, ସହକାରୀ ଯୋଗାଣ ଅଧିକାରୀ, ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମଚାରୀ, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ବୀର ଶଙ୍କର ଦେବଙ୍କ ଠାରୁ ୭୮.୦୮କ୍ଵିଣ୍ଟାଲ ଏବଂ ସୁଜିତ କୁମାର ସାହୁଙ୍କ ଠାରୁ ୨୪.୧୮ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ