
ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପହଞ୍ଚକୁ ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାର ଏବଂ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ( ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍) ମଧ୍ୟରେ ଏକ ବୈଷୟିକ ସହାୟତା ଚୁକ୍ତି ଗତକାଲି ଗୁରୁବାର ଲୋକସେବା ଭବନରେ
ସ୍ୱାକ୍ଷରିତ ହୋଇଯାଇଛି । ଏହି ଭାଗୀଦାରିର ଉଦ୍ଦେଶ୍ୟ ହେଉଛି-ଶ୍ରମିକ ପରିବାରମାନେ ରାଜ୍ୟ ଭିତରେ ଯେଉଁ ସ୍ଥାନକୁ ଶ୍ରମ ବା କାର୍ଯ୍ୟ ଉଦ୍ଦେଶ୍ୟରେ ଯାଉଛନ୍ତି, ସେଠାରେ ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶ୍ରମଭିତ୍ତିକ ଯୋଜନାରେ ଥିବା ସୁବିଧା ଭଳି ଆବଶ୍ୟକୀୟ ସେବା ନିରନ୍ତରତାକୁ ସୁନିଶ୍ଚିତ କରିବା ।
ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ପକ୍ଷରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଏବଂ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ପ୍ରତିନିଧି ତଥା ଦେଶ ପ୍ରତିନିଧି (କଣ୍ଟ୍ରି ଡିରେକ୍ଟର),ଭାରତ ଏଲିଜାବେଥ ଫୋର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା