




ସମ୍ବଲପୁର, ୫ ଡିସେମ୍ବର (ହି.ସ.)- ଆଜି ସମ୍ବଲପୁରରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ରେଳବାଇ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ, 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା' ଅଧୀନରେ ୭୭୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ସମ୍ବଲପୁର ରେଳ ଷ୍ଟେସନ ଠାରୁ ରାମେଶ୍ଵରମ-ମଦୁରାଇ ପବିତ୍ର ତୀର୍ଥସ୍ଥାନ ଅଭିମୁଖେ ଏକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ ଯାତ୍ରା ଶୁଭାରମ୍ଭ କରିଛି। ଏହି ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରି ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦୀନି ନାୟକ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ସମ୍ବଲପୁର ରେଳ ମଣ୍ଡଳ ଡ଼ିସିଏମ ଗରିମା ତିଓ୍ବାରୀ, ଏଡିଆରଏମ୍ ମଞ୍ଜୀତ ସିଂହ ସନସନୱାଲ ପ୍ରମୁଖ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ନିଜ ବ୍ଯକ୍ତବରେ ଓଡିଶା ସରକାରଙ୍କ ପ୍ରଚେଷ୍ଟାରୁ ବରିଷ୍ଠ ନାଗରିକ ମାନେ ଆଜି ଚାରିଧାମରୁ ଗୋଟିଏ ଧାମ ପରିଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ବୋଲି ପ୍ରକାଶ କରିଥିଲେ।
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ବୋନ୍ଦର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ରାମେଶ୍ଵରମ-ମଦୁରାଇ ପବିତ୍ର ତୀର୍ଥସ୍ଥାନ ଅଭିମୁଖେ ୨୦୨୫ ଆର୍ଥିକ ବର୍ଷ ଏହା ଦ୍ଵିତୀୟ ଯାତ୍ରା ବୋଲି ସୂଚନା ଦେଇ ସମସ୍ତଙ୍କର ସଫଳ ଏବଂ ମଙ୍ଗଳ ଯାତ୍ରା ପାଇଁ ପ୍ରାର୍ଥନା କରିଥିଲେ। ସମ୍ବଲପୁର, ସୁବର୍ଣ୍ଣପୁର, ଦେଓଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର ଓ ବରଗଡ ଜିଲ୍ଲାରୁ ସମୁଦାୟ ୭୭୫ ଜଣ ତୀର୍ଥଯାତ୍ରୀଙ୍କ ସହିତ ୨୫ ଜଣ ଏସ୍କର୍ଟ୍ ଅଧିକାରୀ ଏହି ଯାତ୍ରାରେ ଯାଉଛନ୍ତି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସୂଚନା ଅନୁଯାୟୀ ଏହି ଯୋଜନା ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନ ଠାରୁ ରାମେଶ୍ଵରମ-ମଦୁରାଇ ପବିତ୍ର ତୀର୍ଥସ୍ଥାନ ଅଭିମୁଖେ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ସମ୍ବଲପୁର ଜିଲ୍ଲାରୁ ୮୯ ଜଣ, ସୁବର୍ଣ୍ଣପୁର-୫୨ ଜଣ, ଦେଓଗଡ଼-୨୭ ଜଣ, ଅନୁଗୁଳ- ୧୦୯ ଜଣ, ଝାରସୁଗୁଡ଼ା-୫୦ ଜଣ, ସୁନ୍ଦରଗଡ଼-୧୮୦ ଜଣ, ବଲାଙ୍ଗିର-୧୪୧ ଜଣ, ବରଗଡ-୧୨୭ ଜଣ ମୋଟ୍ ୭୭୫ ଜଣ ଯାତ୍ରୀ ବରିଷ୍ଠ ନାଗରିକ, ରାମେଶ୍ଵରମ ଓ ମଦୁରାଇ ଭଳି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ଆଇଆରସିଟିସି ଦ୍ଵାରା ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଯିବା ଆସିବା ଏବଂ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ଏହା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ଯା ନିମନ୍ତେ ଏକ ଡାକ୍ତରୀ ଟିମ ଏବଂ ୨୫ ଜଣ ଏସ୍କର୍ଟ୍ ଅଧିକାରୀ ମଧ୍ୟ ରହିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ