
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ପୌରାହିତରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ୨୦୧୩ ଆଧାରରେ ରେସନ କାର୍ଡ ବଣ୍ଟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀ ଯେପରି ତାଲିକାରୁ ବାଦ ନ ପଡନ୍ତି ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ ଉପରେ ଖିଲାପ ନ କରିବାକୁ ମଧ୍ୟ ଅଧ୍ୟକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ସ୍ଥିତି, ଆଶ୍ରମ ବିଦ୍ୟାଳୟ, ସ୍କୁଲ ଡ୍ରପ ଆଉଟ ଛାତ୍ରଛାତ୍ରୀ, ମଧ୍ୟାହ୍ନ ଭୋଜନ ସଂକ୍ରାନ୍ତରେ ଆଲୋଚନା ସମେତ ଛତୁଆ ପ୍ରସ୍ତୁତକାରୀ କେନ୍ଦ୍ର ଯାଞ୍ଚ ନିମନ୍ତେ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି