
କେନ୍ଦୁଝର, ୫ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଟିତଳେ ଲୁହାପଥର ଗଚ୍ଛିତ ରହିଛି । ଏହି ଲୁହାପଥର ଉପରେ ଖଣି ମାଫିଆ ମାନଙ୍କ ନଜର ରହିଛି । ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏହି ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଥାଏ । ଅଧିକାଂଶ ସମୟରେ ଦେଖାଯାଏ କି ଚୋରାଚାଲାଣ ବେଳେ ପୋଲିସ୍ ପ୍ରଶାସନ ହେଉ ଅବା ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥାଏ । କିନ୍ତୁ, ବିଡମ୍ବନାର ବିଷୟ ଅନେକ ସମୟରେ ଚୋରାଚାଲାଣରେ ନିୟୋଜିତ ଗାଡ଼ି ଗୁଡ଼ିକୁ ଧରିବାରେ ଏମାନେ ସଫଳ ହେଉଥିବା ବେଳେ ଚୋରା ଚାଲାଣ କରୁଥିବା ମାଫିଆ ମାନେ ଅଧିକାଂଶ ସମୟରେ ଫେରାର ହୋଇଯାଉଛନ୍ତି। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବଡବିଲ ରେଞ୍ଜ ବିଲେଇପଦା ସେକ୍ସନ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଚୋରା ଲୁହାପଥର ବୋଝେଇ କରୁଥିବା ସମୟରେ ବନବିଭାଗ ପକ୍ଷରୁ ଚଢଉ କରିଥିବା ନେଇ ସୂଚନା ମିଳିଛି l ଲୁହା ପଥର ସହ ଟ୍ରକକୁ ଜବତ କରିଛି ବନ ବିଭାଗ l
ଆଜି ବିଲେଇପଦା ସେକ୍ସନ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚେlରା ଚାଲାଣ ପାଇଁ ଯେlଜନା ସଂପର୍କରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଲିବନ୍ଧ ବନପାଳ ସଦଳବଳେ ଘଟଣାସ୍ଥଳରେ ଚଢଉ କରିଥିଲେ l ସୁଯୋଗ ଦେଖି ଲୁହାପଥର ଲେlଡ କରୁଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ବେଳେ ବନ ବିଭାଗ ଲୁହା ପଥର ସହ ଟ୍ରକକୁ ଜବତ କରିଛି ଏବଂ ଏହି ଚୋରା ଚାଲାଣ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ତନାଘନା ଚଳାଇଥିବା ନେଇ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA