କୁମ୍ଭାରପଡାରେ ବରଓସ୍ତ ଗଛ ମଝିରେ ବିରାଜମାନ ଶନିଦେବ
ପୁରୀ, ୫ ଡିସେମ୍ବର (ହି.ସ.)- ଶନିବାରରେ ଶନିଦେବଙ୍କୁ ଦର୍ଶନ କଲେ ଅନେକ ଅଶୁଭ ଗ୍ରହ କଟିଥାଏ ବୋଲି ବିଶ୍ଵାସ ରହିଛି । ପୁରୀ ପୌରାଞ୍ଚଳ ସ୍ଥିତ କୁମ୍ଭାରପଡା ଜାଇଗଡ ଜାଗା ନିକଟରେ ବରଗଛ ଓ ଓସ୍ତଗଛ ମଝିରେ ଶନିଦେବଙ୍କ ମନ୍ଦିର ଅବସ୍ଥିତ। ମନ୍ଦିରରେ ଠାକୁର ପୂର୍ବ ପଟକୁ ମୁହଁ କରି ବିରାଜମାନ କରିଛନ୍
କୁମ୍ଭାରପଡାରେ ବରଓସ୍ତ ଗଛ ମଝିରେ ବିରାଜମାନ ଶନିଦେବ


ପୁରୀ, ୫ ଡିସେମ୍ବର (ହି.ସ.)- ଶନିବାରରେ ଶନିଦେବଙ୍କୁ ଦର୍ଶନ କଲେ ଅନେକ ଅଶୁଭ ଗ୍ରହ କଟିଥାଏ ବୋଲି ବିଶ୍ଵାସ ରହିଛି । ପୁରୀ ପୌରାଞ୍ଚଳ ସ୍ଥିତ କୁମ୍ଭାରପଡା ଜାଇଗଡ ଜାଗା ନିକଟରେ ବରଗଛ ଓ ଓସ୍ତଗଛ ମଝିରେ ଶନିଦେବଙ୍କ ମନ୍ଦିର ଅବସ୍ଥିତ। ମନ୍ଦିରରେ ଠାକୁର ପୂର୍ବ ପଟକୁ ମୁହଁ କରି ବିରାଜମାନ କରିଛନ୍ତି । ଶନିଦେବଙ୍କ ଡାହାଣ ପଟେ ରାହୁ ବାମପଟେ କେତୁ ଓ ଶନିଦେବଙ୍କ ସ୍ତ୍ରୀ ଚିତ୍ରିଣୀ ପୂଜା ପାଉଛନ୍ତି । ଦ୍ବାରପାଳ ଭାବେ କାଳ ଓ ବେକାଳ ଜଗି ରହିଛନ୍ତି।

ମନ୍ଦିରର ମୁଖଶାଳାରେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି ଓ ଶୁକ୍ର ସ୍ଥାପିତ ହୋଇ ପୂଜା ପାଉଛନ୍ତି। ମନ୍ଦିର ଆଗରେ ଶନିଦେବଙ୍କ ବାହନ ଶାଗୁଣା ଜଗି ରହିଛି । ଶନିଦେବଙ୍କ ତିନିପଟେ ଯମରାଜ, ଚିତ୍ରଗୁପ୍ତ ଓ ଶନିଦେବଙ୍କ ମାଆ ଛାୟାଙ୍କୁ ପୂଜା କରାଯାଉଛି । ମନ୍ଦିର ପରିସରରେ ମହାବୀର ଓ ଦକ୍ଷିଣକାଳୀ ଜଗି ରହିଛନ୍ତି । ଶନିବାରରେ ଏଠାରେ ଭକ୍ତଙ୍କ ଗହଳି ବଢୁଛି । ସ୍ବର୍ଗତ ବାଣୀଭୂଷଣ ପଣ୍ଡିତ ନିରଞ୍ଜନ ବ୍ରହ୍ମା ଶନିଦେବଙ୍କୁ ପ୍ରତିଷ୍ଠା କରିଥିଲେ । ଜାଇଗଡ ଜାଗାର ସଭାପତି ହରିହର ପାଢ଼ୀଙ୍କ ତତ୍ବାବଧାନରେ ମନ୍ଦିର ଉନ୍ନତିକରଣ ଓ ନୀତିକାନ୍ତି ସହ ପରିଚାଳନା କରୁଛନ୍ତି । ମୁଖ୍ଯ ପୂଜକ ଭାବେ ପ୍ରଫୁଲ୍ଲ କୁମାର ଶତପଥୀ ମନ୍ଦିରର ନୀତିକାନ୍ତି, ପର୍ବ ପର୍ବାଣୀ ସହ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ଫେବୃୟାରୀ ମାସରେ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହେଉଛି । ମହାବୀରଙ୍କ ପଣାସଂକ୍ରାନ୍ତି ଦିନ ସ୍ବତନ୍ତ୍ର ନୀତିକାନ୍ତି ସହ ଭକ୍ତଙ୍କ ଗହଳି ଲାଗିରହିଥାଏ । ମା ଦକ୍ଷିଣକାଳୀଙ୍କ କାଳୀପୂଜା ଓ ଆଶ୍ଵିନ ମାସରେ ସପ୍ତମୀ ଅଷ୍ଟମୀ ନବମୀ ଓ ଦଶହରା ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ମହାଷ୍ଟମୀ ଦିନ ମାଙ୍କ ନିକଟରେ ଆମିଷ ଭୋଗ ଲାଗି ହେଉଛି । ବିରାଟ ବରଗଛ ଓ ଓସ୍ତଗଛ ତଳେ ଭକ୍ତ ମାନେ ଧ୍ୟାନରେ ବସିଲେ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଶନିଦେବ ହେଉଛନ୍ତି ଧର୍ମ ଓ ନ୍ୟାୟର ଦେବତା । ଶନିବାରରେ ଶନିଦେବଙ୍କର ପୂଜାର୍ଚ୍ଚନା କଲେ ଶନିଦେବ ସନ୍ତୁଷ୍ଟ ହୋଇଥାନ୍ତି । ଶନିଦେବଙ୍କର ବାହନ ଶାଗୁଣା । ଏବେ ପ୍ରତି ଶନିବାର ଦିନ ଏଠାରେ ଭକ୍ତଙ୍କ ଗହଳି ଲାଗିରହୁଛି । ମଙ୍ଗଳବାର ଓ ସଂକ୍ରାନ୍ତି ଦିନ ମଧ୍ୟ ଭକ୍ତଙ୍କ ଗହଳି ଲାଗିରହିଥାଏ । ଶନି ମନ୍ଦିରରେ ଭୋର ୫ଟାରୁ ଦ୍ବାରଫିଟା, ମଙ୍ଗଳଆଳତି, ମଇଲମ, ସ୍ନାନ ପରେ ସୂର୍ଯ୍ଯପୂଜା, ବାଳଭୋଗ ଓ ଅନ୍ଯାନ୍ଯ ନିତିକାନ୍ତି ଅନୁଷ୍ଠିତ ହୁଏ । ସାହିବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ଦୂରଦୂରନ୍ତରୁ ଭକ୍ତ ମାନେ ଆସି ଏଠାରେ ଶନିମେଳା କରିଥାନ୍ତି । ଶନିଦେବଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଧୂପଦୀପ ଓ ଭକ୍ତଙ୍କ ଭକ୍ତିପୂର୍ଣ୍ଣ ଭାବାବେଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ରୋଗ, ଦାରିଦ୍ର୍ଯ, ମାନସିକ ଅବସାଦ ଓ ବାରମ୍ବାର ବିଫଳତାରୁ ମୁକ୍ତି ପାଇଁ ଶନିବାର ଶନିଦେବଙ୍କୁ ଭକ୍ତ ପୂଜାର୍ଚ୍ଚନା କରୁଛନ୍ତି । ଶନିଦେବଙ୍କ ମହିମା ଅପାର ଯିଏ ଆସି ଶନିଦେବଙ୍କ ଦର୍ଶନ କରୁଛନ୍ତି ପ୍ରଭୁ ତା'ର ମନୋସ୍କାମନା ପୂର୍ଣ୍ଣ କରୁଛନ୍ତି ବୋଲି ବିଶ୍ଵାସ ରହିଛି । କୁମ୍ଭାରପଡାର ବିଭିନ୍ନ ସାହିବାସିନ୍ଦା ମାନେ ମାଙ୍ଗଳିକ କାର୍ଯ୍ୟରେ ଶନିଦେବଙ୍କ ଦର୍ଶନ ସହ ପୂଜାପାଠ କରନ୍ତି । ସାହିର ଯାତାୟାତ ରାସ୍ତାରେ ମନ୍ଦିର ଥିବାରୁ ପଥଚାରୀ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ମୁଣ୍ଡିଆ ମାରି ଆଶିଷ ଲାଭ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande