
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ଗତ ନଭେମ୍ବର ୨୪ ତାରିଖରେ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ନଜରକୁ ଆସିଛି । ସରକାର ଗ୍ରାମ ପଂଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଭ୍ରମାତ୍ମକ ଦାବି କରାଯାଇଛି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇନାହିଁ ଏବଂ ଏହା ସମ୍ପୁର୍ଣ୍ଣ ଭାବେ ଜାଲିଆତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ନକଲି ପତ୍ରଟି ସାମାଜିକ ଗଣମାଧ୍ୟମ ଗଣମାଧ୍ୟମ ଏବଂ ପ୍ରମୁଖ ଗଣମାଧ୍ୟମମାନଙ୍କରେ ବିସ୍ତୃତ ଭାବରେ ପ୍ରଚାର ହୋଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛି । ବିଭାଗ ପକ୍ଷରୁ ଏନେଇ ସାଇବର୍ କ୍ରାଇମ୍ ସେଲ୍ ରେ ଏଫ୍ଆଇଆର୍ ମାମଲା ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପ୍ରେରଣ କରାଯାଇଛି ଓ ଜାଲିଆତି ପତ୍ରର ସୃଷ୍ଟିକର୍ତା, ଉତ୍ସ ଓ ପ୍ରଚାରକମାନଙ୍କ ଠିକଣା ଚିହ୍ନଟ କରି ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି । ସମସ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ଜିଲ୍ଲା ପଂଚାୟତ ଅଧିକାରୀ ଏବଂ ଗ୍ରାମ ପଂଚାୟତ କର୍ମଚାରୀମାନଙ୍କୁ ଏହି ପତ୍ରକୁ ଗୁରୁତ୍ୱ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜନସାଧାରଣଙ୍କୁ ସତର୍କ ରହିବା ସହ ଏହି ଜାଲିଆତି ପତ୍ରର ବିଷୟବସ୍ତୁ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଆଧିକରିକ ଭାବେ କେବଳ ସରକାରୀ ମାଧ୍ୟମରେ ଜାରି ହୋଇଥିବା ସୂଚନାକୁ ବିଶ୍ୱାସ କରିବାକୁ ଏବଂ ସନ୍ଦେହଜନକ ପତ୍ର ବା ଦଳିଲକୁ ସଙ୍ଗେ ସଙ୍ଗେ ଅଧିକାରୀଙ୍କ ନଜରକୁ ଆଣିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା