
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ପୂର୍ବ ତଟ ରେଳପଥ ଏହାର କାର୍ଯ୍ୟକ୍ଷମ ପ୍ରଣାଳୀକୁ ଉନ୍ନତ କରି ଦକ୍ଷ, ଯାତ୍ରୀ-ଅନୁକୂଳ ସେବା ପ୍ରଦାନ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହି ପଦକ୍ଷେପର ଏକ ଅଂଶ ଭାବରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସମ୍ବଳର ଉତମ ବ୍ୟବହାର ସୁନିଶ୍ଚିତ କରିବା ଏବଂ ଡିଜିଟାଲ୍ ଟିକେଟିଂ ଆଡକୁ ବର୍ଦ୍ଧିତ ପରିବର୍ତନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କାଉଣ୍ଟରଗୁଡ଼ିକର ନିରନ୍ତର ସମୀକ୍ଷା କରୁଛି ।
ମେରାମଣ୍ଡଳୀ ଏବଂ କଣାସ ରୋଡ୍ ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଂଟରଗୁଡ଼ିକୁ ୨୧.୧୨.୨୦୨୫ ଠାରୁ କମ୍ ପୃଷ୍ଠପୋଷକତା ଯୋଗୁଁ ପ୍ରତ୍ୟାହାର କରାଯିବାକୁ ନିଷ୍ପତି ନିଆଯାଇଛି । ମେରାମଣ୍ଡଳୀ ଏବଂ କଣାସ ରୋଡ୍ ରେ ଦୈନିକ ହାରାହାରି ଯାତ୍ରୀ ସଂରକ୍ଷଣ ସଂଖ୍ୟା ଯଥାକ୍ରମେ ପ୍ରାୟ ୧୪ ଏବଂ ୧୧ ଟି ଟିକେଟ ଅଟେ। ଏହି ଅଂଚଳର ଯାତ୍ରୀମାନେ ନିକଟବର୍ତୀ ସଂରକ୍ଷଣ ପ୍ରଣାଳୀ ସୁବିଧାର ଉପଯୋଗ ପାଇବା ଜାରି ରଖିବେ। କଣାସ ରୋଡ୍ ଅଂଚଳ ପାଇଁ ଡେଲାଙ୍ଗ (୪ କିଲୋମିଟର ଦୂର) ଏବଂ ସାକ୍ଷୀଗୋପାଳ (୧୪ କିଲୋମିଟର ଦୂର) ରେ ସଂରକ୍ଷଣ କାଉଂଟର ଉପଲବ୍ଧ ଅଛି । ସେହତପରି ମେରାମଣ୍ଡଳୀ ଅଞ୍ଚଳ ପାଇଁ: ତାଳଚେର ଏବଂ ତାଳଚେର ରୋଡ ଷ୍ଟେସନ ଦ୍ୱୟ ଠାରେ ପିଆରଏସ ସୁବିଧା ଉପଲବ୍ଧ ଏବଂ ଉଭୟ ଟିକେଟ କେନ୍ଦ୍ର ୧୫ କିଲୋମିଟର ମଧ୍ୟରେ ଅବସ୍ଥିତ ।
ପୂର୍ବତଟ ରେଳପଥ ମଧ୍ୟ ଅନଲାଇନ୍ ଟିକେଟ ବୁକିଂ ପ୍ରତି ଯାତ୍ରୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଲକ୍ଷ୍ୟ କରିଛି । ସଂରକ୍ଷିତ ଟିକେଟର ଏକ ପ୍ରମୁଖ ପ୍ରତିଶତ ବର୍ତମାନ ଆଇଆରସିଟିସି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ଭଳି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବୁକ୍ କରାଯାଉଛି।ଏହା ସହିତ, କଟକ ହାଇକୋର୍ଟ ଠାରେ କାର୍ଯ୍ୟକାରୀ ଥିବା ଅଣ-ରେଳ ସ୍ଥାନ ପିଆରଏସ କାଉଣ୍ଟରକୁ କାର୍ଯ୍ୟକ୍ଷମ ଆବଶ୍ୟକତା ଏବଂ ସୁରକ୍ଷା ପ୍ରୋଟୋକଲକୁ ବିଚାରକୁ ନେଇ ବ୍ୟାଙ୍କ ଛୁଟିଦିନରେ ବନ୍ଦ ରଖାଯିବାକୁ ନିଷ୍ପତି ନିଆଯାଇଛି । ଏଠି ପାଇଁ କୌଣସି ସାଧାରଣ କାର୍ଯ୍ୟ ଦିବସ ପ୍ରଭାବିତ ହେବ ନାହିଁ ।
ଯାତ୍ରୀମାନଙ୍କୁ ସମୟୋଚିତ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ଏହି ପରିବର୍ତନଗୁଡ଼ିକ ସମ୍ବନ୍ଧୀୟ ବିଜ୍ଞପ୍ତିଗୁଡ଼ିକ ସମ୍ପୃକ୍ତ ଷ୍ଟେସନ ଏବଂ ପିଆରଏସର ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରଯାଉଛି । ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସମ୍ପୃକ୍ତ ରେଳ ସେକ୍ସନର ମୁଖ୍ୟ ବାଣିଜ୍ୟିକ ନିରୀକ୍ଷକଙ୍କ ସହିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା