
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ତଥ୍ୟ(ଡାଟା)ର ଗୁଣାତ୍ମକତା ବୃଦ୍ଧି ଓ ବ୍ୟାପକତା(କଭରେଜ)ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ଡିସେମ୍ବର ୪ ତାରିଖରେ ମୂଲ୍ୟ ପରିସଂଖ୍ୟାନ ସଂପର୍କିତ ପ୍ରଶିକ୍ଷଣ ଏବଂ ଡିସେମ୍ବର ୫ ତାରିଖରେ ଜଳସେଚନ ଏବଂ ଝରଣା ଗଣନା ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ-ସହ-ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ରାଜ୍ୟବ୍ୟାପୀ ଚାଲୁଥିବା ପରିସଂଖ୍ୟାନ କାର୍ଯ୍ୟକଳାପର ଗୁଣାତ୍ମକତା, ନିରନ୍ତରତା ଏବଂ କ୍ଷେତ୍ରସ୍ତରର କାର୍ଯ୍ୟକ୍ରମକୁ ସୁଦୃଢ କରିବା ।
କାର୍ଯ୍ୟକ୍ରମକୁ ଉଦଘାଟନ କରି ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ ଉଭୟ ଗଣନା କାର୍ଯ୍ୟକ୍ରମର ସମସ୍ତ ସଂଜ୍ଞା ଓ ବିଷୟକୁ ଭଲଭାବେ ବୁଝାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ ଉଲ୍କେଖ କରିଥିଲେ ଯେ, କ୍ଷେତ୍ରସ୍ତରରେ ବ୍ୟାଖ୍ୟାର ଭିନ୍ନତା ହେଲେ ତଥ୍ୟର ଗୁଣାତ୍ମକତା ଏବଂ ତୁଳନା ସମ୍ଭାବନାକୁ ପ୍ରଭାବିତ କରିଥାଏ। ଗୁଣାତ୍ମକ ତଥ୍ୟ ବା ଡାଟା ପ୍ରମାଣଭିତ୍ତିକ ନୀତିନିର୍ଦ୍ଧାରଣ ଏବଂ ଜାତି ନିର୍ମାଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଏ ଦିଗରେ ରାଜ୍ୟର ଆଭିମୁଖ୍ୟକୁ ଦୋହରାଇବା ସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଜ-ନିଜ ଜିଲ୍ଲାରେ ପ୍ରଶିକ୍ଷଣକୁ ସଠିକ୍ ଓ ଦୃଢତାର ସହ କରାଯିବା ନେଇ ଗୁରୁତ୍ୱାରୋପ କରିଥିଲେ, ଯାହା ସଂଗୃହିତ ତଥ୍ୟର ସଠିକତା, ନିର୍ଭରଯୋଗ୍ୟତା ଏବଂ ସମୟାନୁସାରେ ତଥ୍ୟ ସଂଗ୍ରହକୁ ସୁନିଶ୍ଚିତ କରିବ।
ଏହି ପ୍ରୟାସର ଏକ ଅଂଶ ଭାବରେ, ରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ମୁଖ୍ୟାଳୟ ଏବଂ ତିନିଟି ରେଞ୍ଜର ଅଧିକାରୀମାନଙ୍କୁ ନେଇ ୯ ଟି ଦଳ ଗଠିତ ହୋଇଛି, ଯେଉଁମାନେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି କାର୍ଯ୍ୟକରିବେ । ଏହି ଦଳଗୁଡିକ ତଥ୍ୟର ଗୁଣାତ୍ମକମାନ ଏବଂ ପୂର୍ଣ୍ଣତାକୁ ମୂଲ୍ୟାଙ୍କନ କରିବେ, ଚିହ୍ନଟ କରିବେଏବଂ ଯେଉଁଠାରେ ଆବଶ୍ୟକ, ସୁପରଭାଇଜର ଏବଂ ଗଣନାକାରୀମାନଙ୍କର କ୍ଷମତା ବୃଦ୍ଧି କରି କ୍ଷେତ୍ର ସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ କରିବେ । ଜିଲ୍ଲାସ୍ତରରେ ତଥ୍ୟର ଗୁଣାତ୍ମକମାନ ଏବଂ ତଦାରଖ ବ୍ୟବସ୍ଥା କାର୍ଯ୍ୟପଦ୍ଧତିକୁ ସଂଗଠିତ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ମଧ୍ୟ ବୈଠକ ଅନୁଷ୍ଠିତ ହେବ।
ବୈଷୟିକ ଅଧିବେଶନ ସମୟରେଅଧିକାରୀମାନଙ୍କୁ ମୂଲ୍ୟ ପରିସଂଖ୍ୟାନ ଏବଂ ଗଣନା କାର୍ଯ୍ୟକଳାପ ସଂପର୍କିତ ଧାରାଣାତ୍ମକ ଢାଞ୍ଚା,ସଂଜ୍ଞା ଏବଂ ପ୍ରକ୍ରିୟାଗତ ନିର୍ଦ୍ଦେଶାବଳୀର ଏକ ବିସ୍ତୃତ ବ୍ୟାଖ୍ୟା କରାଯାଇଥିଲା । ଡିଜିଟାଲ ତଥ୍ୟ ସଂଗ୍ରହ ସାଧନ, କାର୍ଯ୍ୟପ୍ରବାହ ପ୍ରକ୍ରିୟା ଏବଂ କ୍ଷେତ୍ରସ୍ତରୀୟ ପ୍ରୟୋଗର ଲାଇଭ୍ ପ୍ରଦର୍ଶନ କରାଯାଇଥିଲା। ଚେକ୍ ପଏଣ୍ଟ, ତଥ୍ୟ ବୈଧ ନିୟମ ଏବଂ ନିରୀକ୍ଷଣ ମାର୍ଗଦର୍ଶିକା ବିଷୟରେ ପ୍ରଶିକ୍ଷଣରେ ବିସ୍ତୃତ ଆଲୋଚନା କରାଯାଇଥିଲା, ଯାହା ଅଧିକାରୀମାନଙ୍କୁ ତଥ୍ୟ ଯାଞ୍ଚ ଦକ୍ଷତା ବୃଦ୍ଧି ଏବଂ ତ୍ରୁଟି-ରହିତ ତଥ୍ୟ ସମର୍ପଣ ସୁନିଶ୍ଚିତ କରିବାରେ ସକ୍ଷମ କରିବ ।
ଏହି ଅଧିବେଶନଗୁଡ଼ିକ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ଦତ ଏବଂ ଯୁଗ୍ମ ନିର୍ଦ୍ଦେଶକ ନିର୍ମଳ କୁମାର ସାହୁଙ୍କ ଦ୍ୱାରା ଅତିରିକ୍ତ ନିର୍ଦ୍ଦେଶକ ପି. ଏମ୍. ଦ୍ୱିବେଦୀ ଏବଂ ବିଷୟ-ବିଶେଷଜ୍ଞ ମହମ୍ମଦ ଫିରୋଜ୍ ଖାନ୍, ଡଃ. ବି. ଏନ୍. ମହାନ୍ତି ଏବଂ ଡଃ. କେ. ସି. ପାଣିଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଅଧିବେଶନଗୁଡ଼ିକରେ ଗଣନା କାର୍ଯ୍ୟକ୍ରମରେ ରହୁଥିବା ପରିଚାଳନାଗତ ସମସ୍ୟା, କ୍ଷେତ୍ରୀୟ ଆହ୍ୱାନ ଓ ସେସୁବୁର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା ।
ପ୍ରଶିକ୍ଷଣରେ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ, ଉତରାଞ୍ଚଳର ଅତିରିକ୍ତ ନିର୍ଦ୍ଦେଶକ, କେନ୍ଦ୍ରୀୟ ଏବଂ ଦକ୍ଷିଣାଞ୍ଚଳର ଯୁଗ୍ମ ନିର୍ଦ୍ଦେଶକ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ସେମାନଙ୍କର ଟିମ୍ ସହିତ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସମସ୍ତ ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଏବଂ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ,ଯେଉଁମାନେ କି ଏହି ଗଣନା ପରିପ୍ରେକ୍ଷୀରେ ଆଗାମୀ ଦିନରେ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟକ୍ରମ ପରିଚାଳନା ଓ ତଦାରଖ କରିବା ପାଇଁ ସାମୁହିକ ପ୍ରସ୍ତୁତିକୁ ନିଶ୍ଚିତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା