
ନୂଆପଡା, ୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରର ୩୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ଅଧ୍ଯକ୍ଷତାରେ ଉଦଘାଟିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ବିଶିଷ୍ଟ ଅତିଥି ଭାବରେ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ବଜରଙ୍ଗ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଡକ୍ଟର ସରୋଜ କୁମାର ପଣ୍ଡା, ଜିଲା ପ୍ରମୁଖ ଧ୍ରୁବ ଚରଣ ପାତ୍ର, ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ପୂର୍ଣ୍ଣଚନ୍ଦ୍ର କର୍ମୀ, ଉପସଭାପତି ଆଦିତ୍ୟ ମହାଉତି, ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ସୁସାହିତ୍ଯିକ ଗୌରାଙ୍ଗ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସ୍ତରରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ପୁଟେଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବୀଣାପାଣି ଦର୍ଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରାରମ୍ଭରେ ମା ' ସମଲେଶ୍ବରୀଙ୍କ ପୀଠରୁ ବିଦ୍ୟାଳୟର ଭାଇମାନଙ୍କ ଦ୍ଵାରା ଅଣାଯାଇଥିବା ମଶାଲକୁ ମୁଖ୍ୟ ଅତିଥି ପଡ଼ିଆରେ ସ୍ଥାପନ କରିବା ସହିତ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ କ୍ରୀଡ଼ା ଉତ୍ସବରେ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ