
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.) ଜାଲ ପ୍ରମାଣ ପତ୍ର ପ୍ରଦାନ କରି ଶିକ୍ଷକ ଚାକିରୀ ହାତେଇଥିବା ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଶିକ୍ଷା ଏକ ଗୁରୁତ୍ୱପୂର୍ଣ ବିଷୟ ହୋଇଥିବା ଓ ପିଲା ମାନଙ୍କର ଭବିଷ୍ୟତ ଗଢା କାର୍ଯ୍ୟ ଶିକ୍ଷକ ମାନଙ୍କ ହାତରେ ଥିବା କାରଣରୁ ଏଭଳି କାର୍ଯ୍ୟ କରିଥିବା ଶିକ୍ଷକ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ବିଜୁଳି ଦାବି କରିଛନ୍ତି ।
ଆଜି ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଗତ କିଛି ଦିନ ତଳେ ମୟୁରଭଂଜ ଜିଲ୍ଲାରେ ଜାଲ ଜାତିଗତ ପ୍ରମାଣପତ୍ର ଓ ଜାଲ ମାର୍କଶିଟ ଦେଇ ଅନେକ ଶିକ୍ଷକ ଭାବେ କାମ କରୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କେବଳ ମୟୁରଭଂଜ ନୁହେଁ ସାରା ରାଜ୍ୟରେ ଏଭଳି ଘଟଣା ମାନ ସାମନାକୁ ଆସୁଛି । ତେଣୁ ଏହିମାମଲାର ଶୀଘ୍ର ତଥା ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଓ ଦୋଷୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ