
ଚମ୍ପୁଆ, ୦୬ ଡିସେମ୍ବର(ହି.ସ.) – ସରକାରୀ ସ୍ତରରେ ଧାନ କିଣିବାପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ସୀମାନ୍ତ ଝାଡ଼ଖଣ୍ଡର ଜୟନ୍ତୀଗଡ଼ ଠାରେ ଅଧା ଦାମରେ ଧାନ ବିକୁଛନ୍ତି ଚମ୍ପୁଆ ଉପଖଣ୍ଡର ଚାଷୀ। ଚଳିତ ଖରିଫ ଋତୁରେ ନବେ ପ୍ରତିଶତ ଧାନ ଅମଳ କରି ସାରିଥିବାବେଳେ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ବାଧ୍ୟ ହୋଇ ଝାଡ଼ଖଣ୍ଡରେ ବେପାରୀଙ୍କୁ ଅଧା ଦାମରେ ଧାନ ବିକ୍ରି କରୁଛନ୍ତି। ଚାଷୀଙ୍କ ଅସୁବିଧାର ସୁଯୋଗ ନେଇ ଏବେ ଗାଁ ଗାଁରେ ଦଲାଲ ମଧ୍ୟ ସକ୍ରୀୟ ହୋଇ ସାରିଛନ୍ତି। ଚଳିତ ବର୍ଷ ଆଶାନୁରୂପ ବର୍ଷା ହୋଇଥିବାରୁ ଅମଳ ମଧ୍ୟ ଭଲ ହୋଇଛି। ବହୁ ଚାଷୀ ଅମଳ ଧାନକୁ ରଖିବାରେ ସୁବିଧା ହେଉଥିବା ତଥା ଖରା, କାକରରେ ଖଳାରେ ଧାନ ପଡ଼ି ରହିବା ସହିତ ମୂଷା ଦାଉରୁ ଧାନକୁ ରକ୍ଷା କରି ଚାଷ କାର୍ଯ୍ୟରେ କରିଥିବା ଧାର କରଜରୁ ମୁକ୍ତ ହେବା ପାଇଁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଏବେ ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡର ଜୟନ୍ତୀଗଡ଼ରେ ବହୁ ବ୍ୟବସାୟୀ ଚମ୍ପୁଆ ଅଂଚଳର ଚାଷୀଙ୍କ ଠାରୁ ଅଧା ଦାମରେ ଧାନ କିଣୁଥିବା ଦେଖାଯାଉଛି। ଏପରିକି ଝାଡ଼ଖଣ୍ଡର ବହୁ ଧାନ ବେପାରୀଙ୍କ ଦଲାଲ ଦୈନିକ ଗାଡ଼ି ଧରି ଚମ୍ପୁଆର ବିଭିନ୍ନ ଗାଁ ଗାଁରେ ବୁଲି ଚାଷୀଙ୍କ ଠାରୁ ଅଧା ଦାମରେ ଧାନ କିଣି ନେଉଥିବା ଦେଖିବାକୁ ମିଳୁଛି। ଆସନ୍ତା ୨୬ ତାରିଖରେ ଚମ୍ପୁଆରେ ମଣ୍ଡି ଖୋଲିବା ନେଇ ପ୍ରଶାସନ କହୁଥିବାବେଳେ ମଣ୍ଡି ଖୋଲିବାକୁ ବିଳମ୍ବ ହେଉଥିବାରୁ ଚାଷୀମାନେ ଝାଡ଼ଖଣ୍ଡ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ମୁକୁନ୍ଦ ନାଏକ, ଆଶା ମହାକୁଡ଼, ପ୍ରଶାନ୍ତ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta