
ଜୟପୁର, 6 ଡିସେମ୍ବର (ହି.ସ.) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରର ୩୬ ତମ ବାର୍ଷିକ କ୍ରୀଡ଼ା ସମାରୋହ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି । ଏହାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଗନ୍ତାୟତ, ଅବସରପ୍ରାପ୍ତ ବରିଷ୍ଠ ଆଥ୍ଲେଟିକ୍ କୋଚ୍ ଉପସ୍ଥିତ ଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ଏବଂ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ତପନ କିରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହାର ଉଦଯାପନ ଉତ୍ସବରେ ଶ୍ରୀଯୁକ୍ତ ସଚ୍ଚିନ୍ଦ୍ର ପ୍ରଧାନ, ଭାରପ୍ରାପ୍ତ ଥାନା ଅଧିକାରୀ, ସଦର ଥାନା, ଜୟପୁର, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରାଇବା ସହିତି ସେମାନଙ୍କୁ ବୌଦ୍ଧିକ ମାଧ୍ୟମରେ ଦୈନନ୍ଦିନ ଜୀବନରେ କ୍ରୀଡ଼ାର ଉପକାରିତା ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଶିଶୁମାନଙ୍କର ସଂପୂର୍ଣ୍ଣ ବିକାଶ ପାଇଁ କ୍ରୀଡ଼ା ନିଶ୍ଚିତ ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ନିଜ ବୌଦ୍ଧିକରେ ଉପସ୍ଥାପନା କରିଥିଲେ ଏବଂ ଆହୁରି ମଧ୍ୟ ଶିଶୁମାନେ ନିଜର ବିଦ୍ୟାଳୟ ଏବଂ ପିତାମାତାଙ୍କୁ କେବେ ଭୁଲିବେ ନାହିଁ ବୋଲି ଉପଦେଶ ଦେଇଥିଲେ । ଉଦଯାପନ ଉତ୍ସବରେ ସମସ୍ତ କୃତୀ ଶିଶୁଙ୍କୁ ଅତିଥିଙ୍କୁ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ରୀଡ଼ା ପ୍ରତିଯୋଗିତାର ପରିଚାଳନା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଏବଂ ଶ୍ରୀଯୁକ୍ତ ଲମ୍ବୋଦର ମହାରଣା କରିଥିବା ବେଳେ ସମସ୍ତ ଖେଳକୁ ଗୁରୁଜୀ ଗୁରୁମା ସୂଚାରୁ ରୂପେ ତୁଲାଇବାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ସମାରୋହରେ ଯେଉଁ ଶିଶୁମାନେ ଚାମ୍ପିୟନ୍ ହୋଇଥିଲେ, ସେମାନେ ଆଗକୁ କୁନ୍ଦୁରାଠାରେ ହେବାକୁ ଥିବା ସଂକୁଳ ଖେଳକୁଦ୍ ପ୍ରତିଯୋଗିତାରେ ଭାଗନେବେ । ଏହି କ୍ରୀଡ଼ା ସମାରୋହରେ ଅନେକ ଗୁଡ଼ିଏ ପ୍ରତିଯୋଗିତା ଯଥା 100 ମିଟର ଦୌଡ, 200ମିଟର ଦୌଡ଼, 400ମିଟର ଦୌଡ, 800ମିଟର ଦୌଡ, 1500 ଏବଂ 3000ମିଟର ଦୌଡ଼, ଗୋଳାଫିଙ୍ଗା, ଥାଳିଆ ଫିଙ୍ଗା, ଲମ୍ବ ଡ଼ିଆଁ, ଉଚ୍ଚ ଡିଆଁ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ଖେଳଗୁଡ଼ିକ ବିଦ୍ୟାଳୟର ଖେଳ ପଡିଆରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତ୍ୟେକ ଶିଶୁ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଜ୍ୟୋତି ନିର୍ବାପନ ପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା । ଆଶୁତୋଷ ସିଂ, ଜାଗୃତି ଦାଶ, ଶୁଭମ୍ ପଟ୍ଟନାୟକ, ବନେଶ୍ୱରୀ ଗାଦବା, କ୍ରିଷ୍ଣା ମାଳି ଏବଂ ଅପୂର୍ବ ପଟ୍ଟନାୟକ ଏହି ଖେଳକୁଦ ସମାରୋହରେ ଚାମ୍ପିୟନ୍ ଘୋଷିତ ହୋଇଥିଲେ ଯେଉଁମାନେ ଚଳିତ ବର୍ଷର ବାର୍ଷିକ ଉତ୍ସବରେ ପୁରସ୍କୃତ ହେବେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି