ପ୍ରେମରେ ବିଫଳତା ପରେ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
Youth attempts suicide for Love
ପ୍ରେମରେ ବିଫଳତା ପରେ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ


କନ୍ଧମାଳ, ୦୬ ଡିସେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା କଳିଙ୍ଗା ପଂଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ, ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ପ୍ରେମିକାଙ୍କ ଘରକୁ ନେବାକୁ ଆସି ପ୍ରେମିକାର ନାସ୍ତି ବାଣି ଶୁଣି ନିଜ ଚେଷ୍ଟାରେ ବିଫଳ ହେବା ପରେ ପ୍ରେମିକ ଜଣକ ଏପରି କାଣ୍ଡ କରିଛନ୍ତି। ସୂଚନାନୁସାରେ, ଖଜୁରୀପଡ଼ାର ଶୁଭ୍ରାଂଶୁ ସାହୁ(୨୨) ନାମକ ଜଣେ ଯୁବକ ଡୁଗୁଡ଼ିପାରି ଗ୍ରାମର ଖୁସି ପ୍ରଧାନ(୨୧) ନାମକ ଜଣେ ଯୁବତୀ ସହ କଲେଜରେ ପାଠ ପଢ଼ା ସମୟରେ ଦେଖା ସାକ୍ଷାତ ପରେ ବନ୍ଧୁତା ତାପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ଅଜଣାତରେ ଶୁଭ୍ରାଂଶୁ ବାହା ହୋଇ ଖୁସିକୁ ନିଜ ଘରକୁ ନେଇ ଯାଇଥିଲେ। କିନ୍ତୁ ଝିଅ ଅନ୍ୟ ଜାତିର କହି ପୁଅ ପରିବାର ଏହି ପ୍ରେମ ବିବାହକୁ ସ୍ୱୀକାର କରି ନଥିଲେ। ଖୁସି ସେଇ ଘରେ ମାନସିକ ନିର୍ଯାତନା ପାଇଥିବାରୁ ସେ ନିଜ ବାପଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଶୁଭ୍ରାଂଶୁ ମଧ୍ୟ ଝିଅ ଘରେ ଆସି ରହୁଥିଲେ। ଆଜି ସକାଳେ ଝିଅ ଗାଧୋଇବା ପାଇଁ ନିକଟରେ ଥିବା ଚୁଆକୁ ଯାଇଥିବା ବେଳେ ଶୁଭ୍ରାଂଶୁ ମଧ୍ୟ ଖୁସି ପଛେ ପଛେ ଚୁଆକୁ ଯାଇ ନିଜ ଘର ଖଜୁରୀପଡ଼ା ଯିବାକୁ କହିଥିଲେ କିନ୍ତୁ ଖୁସି ଯିବା ପାଇଁ ମନା କରିଥିବାରୁ ଏକ ବ୍ଲେଡ୍ ସାହାଯ୍ୟରେ ନିଜ ଗଳା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶୁଭ୍ରାଂଶୁ ତଳେ ପଡ଼ିଯିବା ଦେଖି ଖୁସି ମା-ବାପାଙ୍କୁ ଡାକି ପୋଲିସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ମହିଳା ଇନ୍ସପେକ୍ଟର ରଞ୍ଜିତା ବେହେରା ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ପୋଲିସ ଗାଡ଼ିରେ ଜି.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଯୁବକଙ୍କ ଗଳାରେ ୧୮ଟି ଷ୍ଟିଚ୍ ଲାଗିଥିବା କାର୍ଯ୍ୟରତ ଡାକ୍ତର କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଗୁରୁତର ଦେଖି ଯୁବକଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande