
କେନ୍ଦ୍ରାପଡ଼ା, ୦୬ ଡିସେମ୍ବର(ହି.ସ.) – ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ହାଇସ୍କୁଲ ଶାସନିପଡା ଠାରେ ଆଦର୍ଶ ପ୍ରଧାନ ଶିକ୍ଷକ, ସଂଗଠକ ତଥା ସମାଜସେବୀ ନବଘନ ମହାରଣାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନବଘନ ମହାରଣାଙ୍କ ପରି ଆଦର୍ଶ ଶିକ୍ଷକ ନିଜ ଜୀବନରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଓ ପଥ ପଦର୍ଶକ ହେବା ସହ ଛାତ୍ର ସମାଜ ପାଇଁ ଆଲୋକ ବର୍ତିକା ସାଜିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଆଶୁତୋଷ ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଜ୍ୟ ଶିକ୍ଷକ ମହାସଂଘର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଅଜୟ କୁମାର ସାମଲ ମୁଖ୍ୟ ଅତିଥି, ରାଜ୍ୟ ଓଷ୍ଠା ଉପସଭାପତି ଅଧିକାରୀ ରାଧାକୃଷ୍ଣ ଦାସ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ଓଷ୍ଠା ଜିଲ୍ଳା ସମ୍ପାଦକ ଭଗବାନ ସାହୁ, ଓଷ୍ଠା ବ୍ଲକ ସଭାପତି ବିଜୟ କୁମାର ସ୍ୱାଇଁ, ନୋଡାଲ ପ୍ରଧାନଶିକ୍ଷକ ଗୋପୀନାଥ ବେହେରା, ଅଲ ଓଷ୍ଠା ବ୍ଲକ ସଭାପତି ପ୍ରଦୀପ ଲେଙ୍କା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ସାମଲ, ଅବସରପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ସାହୁ, କ୍ଷୀରୋଦ କୁମାର ସେନାପତି, ପୂର୍ବତନ ସରପଂଚ ରଞ୍ଜିତ ପରିଡା ଓ ସୁରେନ୍ଦ୍ରନାଥ ବେହେରା, ଆଇନଜୀବୀ ଭଂଜକିଶୋର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ଶ୍ରୀ ମହାରଣକ୍ଷଙ୍କ ବିଜ୍ଞାନ ବିଷୟରେ ଶିକ୍ଷାଦାନ, ଛାତ୍ରବତ୍ସାଳତା, ସ୍କୁଲର ଉନ୍ନତି ପାଇଁ ଥିବା ପ୍ରଚେଷ୍ଟା ଓ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିରେ ବହୁ ପୁରାତନ ଛାତ୍ର ଯୋଗଦେଇ ନିଜ ସ୍କୁଲ ଜୀବନରେ ପ୍ରଧାନଶିକ୍ଷକ ଶ୍ରୀ ମହାରଣକ୍ଷଙ୍କ ଭୂମିକା ଓ ଅବଦାନ ସମ୍ପର୍କରେ ଆଲୋଚନାକରି ସ୍ମୃତିଚାରଣ କରିଥିଲେ। ଶେଷରେ ଏକ ଭାବପୂର୍ଣ୍ଣ ପରିବେଶରେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ମହାରଣାଙ୍କୁ ବର୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି