
ଧର୍ମଶାଳା, ୬ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଷ୍ଟାଡିୟମ ହଲ ପରିସରରେ ବାବା ସହେବ ଡ. ଭିମରାଓ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଦଳିତ ନେତା ନାରାୟଣ ମଲିକ ସଭାପତିତ୍ୱ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମିନତୀ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଆରୁହା ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ ସମେତ ସମସ୍ତ ୬ ଗୋଟି ମଣ୍ଡଳର ବିଜେପି ସଭାପତିମାନେ ଯୋଗଦେଇ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅତିଥିମାନେ ବାବା ସାହେବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ଭାରତକୁ ସମ୍ବିଧାନ ପ୍ରଦାନ କରି ସେ ଆଜିବି ଅମର ହୋଇରହିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ବ୍ଲକ ପରିସରରେ ଥିବା ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ସେଠାରେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର ଉପସ୍ଥିତ ରହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନାମ ଚରଣ ମଲିକ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବହୁ ଦଳିତ ନେତା ଓ କର୍ମୀ ସାମିଲ ହୋଇ ବାବା ସାହେବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ କାହ୍ନୁ ଚରଣ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ