
ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) - ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୭୦ତମ ପୁଣ୍ୟତିଥିରେ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ କାର୍ଯ୍ୟକାରିଣୀ
ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଅଛି। ପ୍ରଥମେ ଏଜି ଛକସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲାପରେ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ସାମାଜିକ ନ୍ୟାୟ ସମ୍ମିଳନୀରେ ଯୋଗ ଦେଇଥିଲେ।
ଅପରାହ୍ନରେ କଂଗ୍ରେସ ଭବନ ଠାରେ ବିଭାଗର ରାଜ୍ୟକାର୍ଯ୍ୟକାରିଣୀରେ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅଖିଳ ଭାରତୀୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ ଗତ ନଭେମ୍ବର ୨୬ ତାରିଖ ଠାରୁ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଅ ସମାବେଶ ରାଜ୍ୟର ସମସ୍ତ ୩୫ ଟି ସାଙ୍ଗଠନିକ ଜିଲ୍ଲାରେ ଆୟୋଜନ କରିବାର ନିର୍ଦ୍ଦେଶନାମାକୁ ବିଭାଗ ତରଫରୁ ସାରା ରାଜ୍ୟରେ କାର୍ଯ୍ୟକାରି କରିବା ପାଇଁ ନିଷ୍ପତ୍ତି ନିଆଗଲା। ଅସନ୍ତା ଡିସେମ୍ବର ୧୪ ତାରିଖରେ ଦିଲ୍ଲୀର ରାମଲିଳା ମୈଦାନରେ ହେବାକୁ ଥିବା ସର୍ବଭାରତୀୟ ସମାବେଶରେ ବିଭାଗ ତରଫରୁ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଯୋଗଦେବାକୁ ନିଷ୍ପତ୍ତି ନିଆଗଲା।
ଏହି ବୈଠକରେ ବିଭାଗର ପୂର୍ବତନ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଉପାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପାତ୍ର, ଗଜେନ୍ଦ୍ର ତନ୍ତି, ଜାନକୀ ମଲ୍ଲିକ, ଏଲ. ମାନିକପ୍ରଭା, ତାପସ ସେଠୀ, ବିଭାଗର ସାଧାରଣ ସମ୍ପାଦକ ଆଶିଷ ମଲ୍ଲିକ,
ଗୋବିନ୍ଦ ନାୟକ, ଅଭିଶେକ ଦଳବେହେରା, ବିଭାଗର ସମ୍ପାଦକ ପ୍ରମୋଦ ମଲ୍ଲିକ, ସୁକାନ୍ତ ତିଆରି, ରଞ୍ଜନ ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା