
ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) - ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଚାଲୁଥିବା ଅହୋରାତ୍ର ଧାରଣା ଚାଲୁରହିଛି । ପ୍ରାଥମିକ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଏଲିମେଂଟାରୀ ସ୍ତରର ହୋଇଥିବାରୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ କରିଛି । ଗ୍ରାମାଂଚଳରେ ଗଢ଼଼ି ଉଠିଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତ ନ ହେବାରୁ ବିଦ୍ୟାଳୟରେ ନୈରାଶ୍ୟଜନକ ଅବସ୍ଥା ସୃଷ୍ଟି ହେବାରୁ ଛାତ୍ରଛାତ୍ରୀମାନେ ନାମ ଲେଖାଉ ନାହାଁନ୍ତି ଯାହା ଫଳ ସ୍ୱରୂପ ଛାତ୍ରସଂଖ୍ୟା ଆଳରେ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦେଉଛନ୍ତି । ଛାତ୍ରଛାତ୍ରୀମାନେ ଦୂର ଦୂରାନ୍ତ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ମଧ୍ୟରେ ୪୨୦୦ ଗ୍ରେଡ଼ ପେ, ଛଅଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ପ୍ରମୂଖ ଦାବି ରହିଛି । ଶିକ୍ଷକମାନଙ୍କ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ଏଲିମେଣ୍ଟାରୀସ୍ତରରେ ସମସ୍ତ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି କରାଯିବାକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ସୁକାନ୍ତ କୁମାର ବେହେରା ଦୃଢ଼ ଦାବି କରିଛନ୍ତି ।ରାଜ୍ୟ ସରକାର ଯଦି ପ୍ରାଥମିକ ଶିକ୍ଷକ ମହାସଂଘର ଦାବିଗୁଡ଼ିକୁ ତୁରନ୍ତ ବିଚାର ନ କରନ୍ତି, ତେବେ ପ୍ରାଥମିକ ଶିକ୍ଷକ ମହାସଂଘ ଧାରଣାରେ ଓଲ୍ଷ୍ଟା ସାମିଲ ହେବ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା