
ଭୁବନେଶ୍ୱର, 07 ଡିସେମ୍ବର (ହି.ସ.) ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ କେନ୍ଦୁଝର ଜିଲ୍ଲାର ଘଟଗାଁ ଅବସ୍ଥିତ ମାଆ ତାରିଣୀ ମନ୍ଦିର ପରିସରର ପରିଧିକ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଏହା ପୂର୍ବରୁ ଘଟଗାଁ ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବଂ ନୃତ୍ୟ ସହ ବିଶାଳ ଶୋଭାଯାତ୍ରାରେ ମା ତାରିଣୀଙ୍କ ମନ୍ଦିର ନିକଟକୁ ଯାଇଥଲେ ମୂଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ସହ ଅନେକ ବିଧାୟକ ଉପସ୍ଥିତ ଥିଲେ ।
ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା'ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ଵ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ତତ୍ୱାବଧାନ ସହ ଯୋଜନା କରିଛନ୍ତି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ ଟାୱାର ଆଦି ନିମନ୍ତେ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମା'ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳ ଗୁଡିକର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁସଙ୍ଗିକ ବ୍ୟବସ୍ଥାର ଯୋଜନା ହୋଇଛି । ଯଥା ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଜଳ ଯୋଗାଣ, ବିଦ୍ୟୁତ ଏବଂ ଆଲୋକୀକରଣ ବ୍ୟବସ୍ଥା, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସମେତ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡି ପରିଚାଳନା ପାଇଁ ସୁବନ୍ଦୋବସ୍ତ ଏହି ଯୋଜନାରେ ସାମିଲ ଅଛି ।
ପୁଷ୍କରିଣୀ ଆମ ଧର୍ମୀୟ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଧ୍ୟାନରେ ରଖି ବୃହତ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିରର ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳ ପଡ଼ିଆ ନିକଟରେ ପୁଷ୍କରିଣୀକୁ ବିକାଶ ମାଧ୍ୟମରେ ସୁଦୃଶ୍ୟ କରିବା ପାଇଁ ଏହି ଯୋଜନାରେ ସାମିଲ କରାଯାଇଛି ।
ଏହା ସହ ସଡକ ବିକାଶ ଏହି ଯୋଜନାର ପ୍ରମୁଖ ଅଙ୍ଗ। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ୧୨ ମିଟର ଚଉଡ଼ା ରାସ୍ତା ସଂଯୋଗ କରିବ । ଏହା ସହ ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ